ମଣ୍ଡପରେ ବିରାଜିଲେ ମା’ ଜଗତଜନନୀ, ଆଜି ମହାଅଷ୍ଟମୀ ପୁଜା

(ଶୁଭସ୍ମିତା ଦାଶ): ଧରାବତରଣ କରିଛନ୍ତି ମା’ ମହିଷାମର୍ଦ୍ଦିନୀ । ମା’ ଦୁର୍ଗାଙ୍କ ଆଗମନରେ ପୁରଠୁ ପଲ୍ଲୀ ଚାରିଆଡେ ଆନନ୍ଦ, ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ପୀଠରେ ଆଜି ନବମୀ ପୂଜା ହେଉଥିବା ବେଳେ ମଣ୍ଡପ ଗୁଡିକରେ ଅଷ୍ଟମୀ ପୂଜା ଚାଲିଛି । ପାରମ୍ପରିକ ପୂଜାର୍ଚ୍ଚନା ଓ ଯଜ୍ଞ ସହ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ କମ୍ପୁଛି ପୂଜା ମଣ୍ଡପ । ଚଣ୍ତୀପାଠ, ଦେବୀଙ୍କ ଷୋଡ଼ଶ ଉପଚାର ପୂଜା, ଚଣ୍ତୀଚାମୁଣ୍ତା ପୂଜା, ସନ୍ଧି ପୂଜା, ବଳିଦାନ (କୁଷ୍ମାଣ୍ତ ବଳି) ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ମହିଳାମାନେ ମା’ଙ୍କ ଅଷ୍ଟମୀ ପୂଜା ଊପଲକ୍ଷେ ବ୍ରତ କରିଛନ୍ତି । ମା’ଙ୍କ ନିକଟରେ ନିଜ ପରିବାରର ସୁଖ ମନାସିଛନ୍ତି । ଏଥିପାଇଁ ସକାଳୁ ସକାଳୁ ମଣ୍ଡପ ଗୁଡ଼ିକରେ ମହିଳାଙ୍କ ଲମ୍ବା ଧାଡ଼ି ଲାଗିଥିବା ଦେଖିବାକୁ ମିଳିଛି । ଭୋଗ ଦୀପ ଧୂପ ସମତେ ମା’ଙ୍କୁ ସିନ୍ଦୁର ଦେଇ ମା’ଙ୍କ ନିକଟରେ ଆର୍ଶୀବାଦ ଭିକ୍ଷା କରିଛନ୍ତି । ମହିଳାମାନେ ଦିନସାରା ଉପବାସ ରହି ମା’ଙ୍କୁ ସ୍ମରଣ କରିବେ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମଣ୍ଡପ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡି କରାଯାଇଛି । ପଲି୍ିଥିନ୍ ବ୍ୟାନ୍ ହୋଇଥିବାରୁ ଶ୍ରଦ୍ଧାଳୁ ମାନେ ଡ଼ାଲାରେ ଭୋଗ ଧରି ଆସୁଥିବା ଦେଖିବାକୁ ମିଳୁଛି । ଯେଇଁମାନେ ବି ଭୂଲ ବଶତଃ ପଲିଥିନ୍ ଧରି ଭୋଗ ଧରି ଆସୁଛନ୍ତ ସେମାନଙ୍କଠୁ ପଲିଥିନ୍ ନେଇ ମଣ୍ଡପ ପକ୍ଷରୁ ଡ଼ାଲା ଦିଆଯାଉଛି । ପୀଠ ଗୁଡ଼ିକରେ ମଧ୍ୟ ମା’ଙ୍କୁ ବିଭିନ୍ନ ବେଶରେ ସଜାଇ ପୂଜା କରାଯାଇଛି । ଆଜି ମହା ଅଷ୍ଟମୀ ପୂଜା ପାଇଁ ସଂନ୍ଧ୍ୟାରେ ମଧ୍ୟ ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ରାଜ୍ୟର ବିଭିନ୍ନ ସ୍ଥାନରେ ମହା ଆଡମ୍ବର ସହକାରେ ଶାରଦୀୟ ଦୁର୍ଗା ପୂଜା ଚାଲିଛି । ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ । ସହୀଦ ନଗର, ରସୁଲଗଡ଼ , ଝାରପଡ଼ା, ଷ୍ଟେସନ ବଜାର ସମେତ ନୟାପଲ୍ଲୀ ପୂଜା କମିଟିର ଆର୍କଷଣୀୟ ତୋରଣ ମାନ ଦେଖିବାକୁ ଭିଡ଼ ଜମୁଛି । ମିନା ବଜାରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ବେପାରୀ ମାନେ ଖେଳନା ଠୁ ଆରମ୍ଭ କରି ଘରସଜା ଜିନିଷ ସମେତ ରଙ୍ଗବେରଙ୍ଗର ପସରା ମେଲାଇଛନ୍ତି । ଦେଖେଣାହାରୀମାନେ ମନମୁତାବକ ଜିନିଷ ସବୁ କିଣିନେଉଛନ୍ତି । ମା’ଙ୍କ ଦର୍ଶନ ସହ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଶ୍ରଦ୍ଧାଳୁଙ୍କୁ ବେଶ୍ ଆକୃଷ୍ଠ କରୁଛି ।