ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ସମାରୋହ ବମୁକୁରା ନୋଡାଲ ବିଦ୍ୟାଳୟ ପରିସରରେ ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ସମାରୋହରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିରେ ୧୭ ବର୍ଷରୁ କମ୍ ବୟସର ବାଳକ କ୍ରିକେଟ୍ ଏବଂ ବାଳିକା ବିଭାଗରେ ପ୍ରାୟ ୨୨୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧୁସୂଦନ ମାଝୀଙ୍କ ସଭାପତିତ୍ୱରେ ଏହି କ୍ରୀଡ଼ା ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଏବିଇଓ ସତ୍ୟସୁନ୍ଦର ପରିଡ଼ା ଯୋଗଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ଶୁଭଲକ୍ଷ୍ମୀ ସାହୁ, ସ୍ୱର୍ଣ୍ଣଲତା ବେହେରା, ରବିନାରାୟଣ ସାହୁ, ସୁଧାକର ମହାନ୍ତି, ସ୍ୱଚ୍ଛନ୍ଦା ତ୍ରିପାଠୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି (ଏସ୍ଏମ୍ସି)ର ସଭାପତି ମନମୋହନ ଦାସ ଯୋଗଦେଇଥିଲେ। ଅତିଥିମାନେ ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡ଼ାର ଗୁରୁତ୍ୱ ଏବଂ ଶାରୀରିକ ଓ ମାନସିକ ବିକାଶରେ ଏହାର ଭୂମିକା ସମ୍ପର୍କରେ ମତ ପ୍ରକାଶ କରିଥିଲେ।
କ୍ରୀଡ଼ା କେବଳ ଶାରୀରିକ ସୁସ୍ଥତା ପାଇଁ ନୁହେଁ, ବରଂ ଶୃଙ୍ଖଳା, ଧୈର୍ଯ୍ୟ, ଦଳଗତ ମନୋଭାବ ଓ ପ୍ରତିଯୋଗିତାମୂଳକ ମନୋଭାବ ବିକାଶରେ ମଧ୍ୟ ସହାୟକ ହୋଇଥାଏ। ଏପରି ବ୍ଲକସ୍ତରୀୟ କ୍ରୀଡ଼ା ଆୟୋଜନ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ସହ ଉଚ୍ଚସ୍ତରରେ ଖେଳିବା ପାଇଁ ଉତ୍ସାହିତ କରିଥାଏ। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ଆଶିଷ ମଲ୍ଲିକ, କାଳୀଚରଣ ମାରାଣ୍ଡି, ଉଜ୍ଜ୍ୱଳ କୁମାର ଦଳାଇ ଓ ଶଶୀକାନ୍ତ ମଣ୍ଡଳ ଏବଂ ଶିକ୍ଷୟିତ୍ରୀ ସସ୍ମିତା ବଳ, ସୁମିତ୍ରା ଘୋଷ, ପୂର୍ଣ୍ଣିମାରାଣୀ ଦାସ ଓ ସାଗରିକା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଏଥିସହ କ୍ରୀଡ଼ା ଶିକ୍ଷକ-ଶିକ୍ଷୟିତ୍ରୀ ସନାତନ ସାହୁ, ସମଜାନ୍ ଶାହା, ସୁନୀଲ କୁମାର ସାହୁ, ଦୀପକ ରଞ୍ଜନ ପଣ୍ଡା, ଚିନ୍ମୟ ପରିଡ଼ା ଓ ସୁନୀତା ମିଶ୍ର ପ୍ରମୁଖ କ୍ରୀଡ଼ା ପରିଚାଳନା ଓ ପ୍ରତିଯୋଗିତାର ସୁଚାରୁ ଆୟୋଜନରେ ସହଯୋଗ କରିଥିଲେ।