ନିଖୋଜ ଥିଲେ ଯୁବତୀ ;ମିଳିଲା ମୃତଦେହ

ଟ୍ରେନ ଯାତ୍ରା ବେଳେ ନିଖୋଜ ହୋଇଯାଇଥିଲେ ଯୁବତୀ। ଏବ ମିଳିଲା ମୃତଦେହ । ଆନ୍ଧ୍ର ପ୍ରଦେଶରୁ ତାଙ୍କର ମୃତଦେହକୁ ଜବତ କରାଯାଇଛି। ୨୦ ବର୍ଷୀୟ ଯୁବତୀ ଜଣଙ୍କ ଆଦିବାସୀ ଓ ତାଙ୍କ ଘର ଆସାମର କାମରୁପ ଜିଲ୍ଲାରେ। ଆସାମର ଏହି ଯୁବତୀ ଜଣଙ୍କ ବିଶାଖାପଟନମରୁ ଗୁଆହାଟୀ ଯାଉଥିଲେ। କିନ୍ତୁ ଅଧା ରାସ୍ତାରେ ହିଁ ସେ ନିଖୋଜ ହୋଇଯାଇଥିଲେ। ଯୁବତୀ ଜଣଙ୍କ ଗୁଆହାଟୀର ବି ବୋରୋହା କଲେଜର ଛାତ୍ରୀ ଓ ସେ ଗୋଟିଏ ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗ ନେବାକୁ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସେଠାରୁ ଫେରିବା ସମୟରେ ସେ ଅକ୍ଟୋବର ୬ ତାରିଖ ଭୋର ୨.୩୯ରେ ପରିବାର ଲୋକଙ୍କ ସହ ଶେଷ ଥର କଥା ମଧ୍ୟ ହୋଇଥିଲେ। ଗୋଟିଏ ମେସେଜରେ ସେ ତାଙ୍କ ଆଖପାଖରେ ଥିବା ଯୁବକମାନଙ୍କୁ ଦେଖି ଭୟଭୀତ ହେଉଥିବା ମଧ୍ୟ ମେସେଜ କରି ପରିବାର ଲୋକଙ୍କୁ ଜଣାଇଥିଲେ।

ଏହାପରେ ତାଙ୍କ ଖୋଜ ଖବର ଆଉ ମିଳି ନଥିଲା। ଏନେଇ ଗୁଆହାଟୀ ଜିଆରପି ଓ ରେଲବାଇ ହେଲପ ଲାଇନ ନମ୍ବର ୧୩୯ରେ ମଧ୍ୟ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ ରେଳବାଇ ପୁଲିସ୍‌ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏଥିସହ ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସର ଏସ୍‌ ୨ କୋଚରୁ ଯୁବତୀଙ୍କ ବ୍ୟାଗ ମଧ୍ୟ ଠାବ କରିଥିଲା। ହେଲେ ଯୁବତୀଙ୍କ ପତ୍ତା ମିଳି ନଥିଲା।