ଦାରିଙ୍ଗ ବାଡିରେ ପ୍ରଥମ ଶୀତର ଲହରୀ, ସର୍ବନିମ୍ନ ତାପ ମାତ୍ରା ୧୩ ଡିଗ୍ରୀ

(ରିପୋର୍ଟସ ଟୁଡେ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ଶୀତର ପ୍ରଥମ ଲହରି ଅନୁଭୂତ ହୋଇଛି। ଅଞ୍ଚଳରେ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଶନିବାର ଏହା ୧୩.୫ ସେଲ୍‌ସିୟସ୍‌ ରହିଛି। ଗତ କିଛିଦିନ ଧରି ସନ୍ଧ୍ୟା ସମୟରେ ଶୀତର ପ୍ରଭାବ ଜଣାପଡ଼ୁଥିବା ବେଳେ ଗୁରୁବାର ସନ୍ଧ୍ୟାଠାରୁ ଏହା ବୃଦ୍ଧି ପାଇଛି। ଅସହ୍ୟ ଶୀତ ଯୋଗୁ ତିନି ଦିନ ହେଲା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୯ଟା ପର୍ୟ୍ୟନ୍ତ ଘନକୁହୁଡ଼ି ଆଚ୍ଛାଦିତ ହୋଇରହୁଛି। ଆଗାମୀ ଦିନରେ ଏହା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଶୀତ ଅନୁଭୂତ ହେଉଥିବା ଯୋଗୁ ବିଭିନ୍ନ ସ୍ଥାନରେ ଲୋକମାନେ ନିଆଁ ପୁଅାଁଉଥିବା ଦେଖିବାକୁ ମିଳିଛି। ସେହିପରି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଶୀତବସ୍ତ୍ରର ମଧ୍ୟ ଚାହିଦା ବୃଦ୍ଧି ପାଉଥିବା ଦାରିଙ୍ଗବାଡ଼ି ସମେତ ବ୍ରାହ୍ମଣୀଗାଁ, ବୁଡାଗୁଡ଼ା, ସିମନବାଡ଼ି ଅଞ୍ଚଳର ବ୍ୟବସାୟୀମାନେ କହିଛନ୍ତି। ସେହିଭଳି ଦାରିଙ୍ଗବାଡ଼ିର ସାଇଲେଣ୍ଟ ଭ୍ୟାଲି ସମେତ ହିଲ୍‌ଭ୍ୟୁ, ମିଡିର୍ୟୁବାନ୍ଦା ୱାଟର ଫଲ୍‌, ଲଭର୍ସପଏଣ୍ଟ, କଫି ବଗିଚା ଆଦିରେ ପର୍ୟ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି ।