ତିତଲି ପ୍ରଭାବିତ ଜିଲ୍ଲା ପାଇଁ ବୃଦ୍ଧି ହେଲା ରିଲିଫ ସହାୟତା ରାଶି : ଏସଆରସି

(ରିପୋର୍ଟଟୁଡେ): ଆଜି ସଚିବାଳୟରେ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ପଦକ୍ଷେପ ବିଷୟରେ ଆଲୋଚନା ହୋଇଛି । ତିତଲି ପ୍ରଭାବିତ ଜିଲ୍ଲା ଗୁଡ଼ିକ ପାଇଁ ବୃଦ୍ଧି ହେଲା ରିଲିଫ୍ ସହାୟତା ରାଶି । ରାଜ୍ୟର ତିତଲି ପ୍ରଭାବିତ ଜିଲ୍ଲା ଗୁଡ଼ିକୁ ୩୭୫ କୋଟି ଟଙ୍କା ରିଲିଫ୍ ସହାୟତା ଯୋଗାଇବା ପାଇଁ ବ୍ୟୟବରାଦ କରାଯାଇଛି ବୋଲି କହିଛନ୍ତି ଏସଆରସି । ପୁନଃ କାମ ମରାମତି ପାଇଁ ସବୁ ବିଭାଗୱାରୀ ଟଙ୍କା ଦିଆଯାଇଛି । ଶକ୍ତି ପାଇଁ ୨୭କୋଟି , ଖାଦ୍ୟ ଓ ଯୋଗାଣ ପାଇଁ ୨୦କୋଟି , ପାଣି ପାଇଁ ୭କୋଟି , ପୂର୍ତ ବିଭାଗ ପାଇଁ ୫୦କୋଟି, ଆର.ଡି ପାଇଁ ୫୫କୋଟି, ପଂଚାୟତିରାଜ ପାଇଁ ୬୨୪କୋଟି ବ୍ୟୟବରାଦ କରାଯାଇଛି ।

ସେହିଭଳି ଗତ ୧୬ ତାରିଖରେ ତିତଲି କ୍ଷୟକ୍ଷତିକୁ ନେଇ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ରଥମ ପର୍ୟ୍ୟାୟ ରିଲିଫ୍ ଘୋଷଣା କରିଥିଲେ ରାଜ୍ୟ ସରକାର । ପ୍ରଥମ ପର୍ୟ୍ୟାୟରେ ୧୦୨ କୋଟିର ସହାୟତା ରାଶି ଗଞ୍ଜାମ, ଗଜପତି ଓ ରାୟଗଡ଼ା ଭଳି ବିଶେଷ ପ୍ରଭାବିତ ହୋଇଥିବା ଜିଲ୍ଲା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ସରକାରୀ ରିପୋର୍ଟ ଅନୁସାରେ ବାତ୍ୟା ଓ ବନ୍ୟାରେ ୫୭ ହଜାର ଘର ସଂପୂର୍ଣ୍ଣ ନଷ୍ଟ ହୋଇଥିବା ସେ ସୂଚନା ଦେଇଛନ୍ତି । ୨.୭ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ବନ୍ୟାରେ ଗଂଜାମ ଜିଲ୍ଲାର ସର୍ବାଧିକ କ୍ଷୟ କ୍ଷତି ହୋଇଛି । ଜିଲ୍ଲାର ପ୍ରାୟ ଅଧା ଚାଷ ଜମି ନଷ୍ଟ ହୋଇଥିବା ବେଳେ ୨୭ଶହ ୭୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ରାସ୍ତା ପୁନରୁଦ୍ଧାର କାମ ଶେଷ ହୋଇଛି । କେବଳ ଦାରିଂବାଡିରେ ଚାଲିଥିବା ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ।