(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଜି କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇ କୃଷି ପାଇଁ ଜଳସେଚନ ସୁବିଧା ନିମନ୍ତେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ୟାରେଜର ଉଦଘାଟନ କରିଛନ୍ତି । ବୈତରଣୀ ନଦୀ ଉପରେ ନିର୍ମିତ ଏହି ବ୍ୟାରେଜରେ ବ୍ୟୟ ହୋଇଛି ୪୭୫ କୋଟି ଟଙ୍କା । ଏହି ବ୍ୟାରେଜର ଦୈର୍ଘ୍ୟ ୪୯୦ ମିଟର ହୋଇଥିବା ବେଳେ ଜଳଧାରଣ କ୍ଷମତା ୩୫୦ ଲକ୍ଷ ଘନ ମିଟର ।
ଏହି ବ୍ୟାରେଜ ଦ୍ୱାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡିହି ଓ ଘସିପୁରା ବ୍ଲକରେ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ସେହିପରି ବାଲେଶ୍ୱର ଜିଲ୍ଲାର ଖଇରା, ଓଉପଦା, ନୀଳଗିରି, ବହାନଗା, ବାଲେଶ୍ୱର ସଦର, ରେମୁଣା ଓ ସୋର ବ୍ଲକର ୬୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ଅନ୍ୟପକ୍ଷରେ ବି.ଏନ୍ ହାଇସ୍କୁଲର ପ୍ଲାଟିନମ ଜୁବୁଲିରେ ମଧ୍ୟ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢ଼ିବା ସହ ଖେଳ ଓ ପ୍ରତିଯୋଗିତାରେ ଭାଗ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ଆନନ୍ଦପୁର ମିନି ଷ୍ଟାଡ଼ିଅମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଆନନ୍ଦପୁର ବ୍ୟାରେଜ ଉଦଘାଟନ କରି ମୁଁ ବହୁତ ଖୁସି । ୬୦ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ହେବ । ବ୍ୟାରେଜ ନିର୍ମାଣ ଦ୍ୱାରା ଚାଷୀ ଉପକୃତ ହେବେ । ଏହାଛଡ଼ା ଆମେ କାମରେ ବିଶ୍ୱାସ କରୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୃଷି , କଲ୍ୟାଣମୂଳକ କାର୍ୟ୍ୟକ୍ରମରେ ଓଡ଼ିଶା ନୂଆ ପରିଚୟ ସୃଷ୍ଟି କରିଛି । ଓଡ଼ିଶା ବିକାଶକୁ ଜାରି ରଖିବାକୁ ଆପଣଙ୍କ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।