ସଂସଦ ଭବନରେ ମୁଖ୍ୟମନ୍ତ୍ରୀ : ଦଳୀୟ ସାଂସଦଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଆଜି ସଂସଦ ଭବନରେ ମୁଖ୍ୟମନ୍ତ୍ରୀ ଦଳୀୟ ସାଂସଦ ମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ସଂସଦ ଭବନରେ ପହଞ୍ଚିବା ପରେ ବିଜୁ ଜନତା ଦଳର ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।  ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କୌଣସି ବୈଠକ ହେବ ନାହିଁ ବୋଲି କହିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ ବୋଲି ଦିଲ୍ଲୀରେ ଗଣମାଧ୍ୟମକୁ ସେ ସୂଚନା ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସରକାର କିମ୍ବା ବିରୋଧୀ ଦଳ କେହି ଏନେଇ ବିଜେଡି ସହ ଆଲୋଚନା କରିନାହାନ୍ତି ।

ସେହିଭଳି  ସଂସଦୀୟ ଦଳ ବୈଠକରେ ଯୋଗ ଦେଇ ରାଜ୍ୟ ସ୍ୱାର୍ଥ ରକ୍ଷା ପାଇଁ ଦାବି ଉଠାଇବାକୁ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସଂସଦର ବିଜେଡି କାର୍ଯ୍ୟାଳୟରେ ଓଡ଼ିଶାର ପୁରୁଣା ପ୍ରସଙ୍ଗ ଓ ସ୍ୱାର୍ଥକୁ ନେଇ ଦଳୀୟ ସାଂସଦଙ୍କ ସହ ଆଲୋଚନା ବେଳେ ଗମ୍ଭୀରତାର ସହ ରାଜ୍ୟର ପୁରୁଣା ଦାବିକୁ ସଂସଦର ଉଭୟ ଗୃହରେ ଉପସ୍ଥାପନ ପାଇଁ ସେ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଜାରି ରହିଥିବା ସମୟରେ ସଂସଦର ଏହି ଅଧିବେଶନରେ ରାଜ୍ୟ ସ୍ୱାର୍ଥ ରକ୍ଷା ପାଇଁ ଦାବି ଉଠାଇବାକୁ ମୁଖ୍ୟମନ୍ତ୍ରୀ ସାଂସଦମାନଙ୍କୁ କହିଛନ୍ତି ।

ଅନ୍ୟପକ୍ଷେ ସୂଚନା ଅନୁଯାୟୀ, ଓଡ଼ିଶାର ଦାବିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରୁ ବଳକା ଉଷୁନା ଚାଉଳ ଉଠାଣ, ଆବାସ ଯୋଜନାରେ ଘର ଯୋଗାଣ, କୋଇଲା ରୟାଲଟିରେ ରାଜ୍ୟଭାଗ ବୃଦ୍ଧି ଓ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ କେନ୍ଦ୍ରର ସହଯାେଗ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇପାରେ । ଏହାସହ ଦୁର୍ଗମ ଅଞ୍ଚଳରେ ଟେଲିଫୋନ ସେବା, ବକେୟା ଥିବା ଧାନ କ୍ରୟ ବାବଦ ରିହାତି, ଜିଏସଟି ବାବଦ ବକେୟା ଦେୟ, ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା ଆଦି ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ।ଗତକାଲି ଦିଲ୍ଲୀରେ ପହଞ୍ଚିବା ପରେ ତାଜ ହୋଟେଲରେ ବିସିସି ଡ୍ରୀଡ଼ା ସମ୍ମାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ  ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଥିଲେ ।