ଭୁବନେଶ୍ୱର: ଆଜି ରଙ୍ଗ, ଆନନ୍ଦ ଏବଂ ଉତ୍ସାହର ପର୍ବ ହୋଲି । ଆଜିର ଦିନରେ ସବୁ ରାଗ ଋଷା ଭୁଲି ପରସ୍ପରକୁ ରଙ୍ଗ ଲଗାଇ ଲୋକେ ହୋଲିର ଶୁଭେଚ୍ଛା ପ୍ରଦାନ କରିଛନ୍ତି । ଭାରତରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । ଗାଁଠୁ ସହର ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ । ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ତେବେ ଆଜି କରୋନା କଟକଣା ଭିତରେ ପାଳନ ହେଉଛି ହୋଲି । ଓଡିଶାରେ ସର୍ବସାଧାରଣ ସ୍ଥାନ ମାନଙ୍କରେ ହୋଲି ଖେଳିବାକୁ ଲୋକଙ୍କୁ ବାରଣ କରାଯାଇଛି । କେବଳ ପରିବାର ଭିତରେ ହୋଲି ଖେଳିବାକୁ ଅନୁମତି ରହିଛି । ପ୍ରାୟ ଦୀର୍ଘ ଦୁଇ ବର୍ଷ ପରେ ହୋଲିକୁ ଧୂମଧାମରେ ଅତି ଉତ୍ସାହର ସହ ପାଳନ କରୁଛନ୍ତି ଲୋକେ ।

ତେବେ ଚଳିତ ବର୍ଷ ରାଜ୍ୟରେ ସଂକ୍ରମଣର ମାତ୍ରା କମିଥିବା ସମୟରେ କରୋନା କଟକଣାକୁ କୋହଳ କରାଯାଇ ଥିବାରୁ ଲୋକଙ୍କ ମଧ୍ୟରେ ହୋଲି ନେଇ ଆନନ୍ଦ ଏବଂ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି । ତେବେ ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଆନନ୍ଦର ପର୍ବ ହୋଲି ନେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ କୋଭିଡ ନିୟମକୁ ସୁଚାରୁ ରୂପେ ପାଳନ କରି ଉତ୍ସବରେ ସାମିଲ ହେବାକୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ତେ ସୁସ୍ଥ ରୁହନ୍ତୁ ଓ ଖୁସିରେ ରୁହନ୍ତୁ । ଏହାହିଁ ମୋର ରାଜ୍ୟବାସୀଙ୍କୁ କାମନା ।
ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ସମସ୍ତ କୋଭିଡ ନିୟମ ପାଳନ କରି ଉତ୍ସବରେ ସାମିଲ ହୁଅନ୍ତୁ। ସମସ୍ତେ ସୁସ୍ଥ ରୁହନ୍ତୁ ଓ ଖୁସିରେ ରୁହନ୍ତୁ। #HappyHoli pic.twitter.com/A0jfgcXVI1
— Naveen Patnaik (@Naveen_Odisha) March 19, 2022
ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ରାଜ୍ୟ ସରକାର ଧୀରେ ଧୀରେ କଟକଣା ହଟେଇବାରେ ଲାଗିଛନ୍ତି । ତେବେ ମାର୍ଚ୍ଚ ମାସ ପାଇଁ ଜାରି ଗାଇଡଲାଇନରେ ଚଳିତ ବର୍ଷ ସାର୍ବଜନୀନ ସ୍ଥାନରେ ‘ହୋଲି ଖେଳ’ ଉପରେ କଟକଣା ଜାରି କରିଛନ୍ତି। ସୂଚନାନୁସାରେ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଫେବୃୟାରୀ ୨୮ତାରିଖରେ ମାର୍ଚ୍ଚ ପାଇଁ ଜାରି କୋଭିଡ୍ ଗାଇଡଲାଇନରେ ଚଳିତବର୍ଷ ହୋଲି ରାଜ୍ୟବ୍ୟାପୀ ସର୍ବସାଧାରଣ ସ୍ଥାନରେ ବା ରାସ୍ତାରେ ପାଳନ ହେବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିବା ସହ ଲୋକେ ନିଜ ପରିବାର ସଦସ୍ୟଙ୍କ ସହିତ ଘର ଭିତରେ ହୋଲି ଖେଳି ପାରିବେ ବୋଲି ଜଣାପଡିଛି ।