ବଙ୍ଗୋପସାଗରରେ ଥିବା ଘୃର୍ଣ୍ଣିବଳୟ ଲଘୁଚାପରେ ପରିବର୍ତ୍ତନ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିବା ଘୃର୍ଣ୍ଣିବଳୟ ଲଘୁଚାପରେ ପରିବର୍ତ୍ତନ ହୋଇଛି । ଏହା ଉତ୍ତର ପଞ୍ଚିମ ଦିଗରେ ଗତି କରିବା ସହ ୨୧ ତାରିଖରେ ଏହା ଲଘୁ ଚାପର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ୨୩ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଗଜପତି, ଗଞ୍ଜାମ, ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା ଜିଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଅନ୍ୟ ଉପକୂୂଳୀୟ ଜିଲା, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବାକି ଜିଲାରେ ପାଗ ଶୁଖିଲା ରହିବ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲାରେ ପଶ୍ଚିମା-ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ଥିବାବେଳେ ୨୦ରୁ ୨୩ ତାରିଖ ସକାଳ ଯାଏଁ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି। ଆଗାମୀ ୪-୫ ଦିନ ଯାଏଁ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।