ଭୁବନେଶ୍ୱର ସିବିଆଇ ଅଫିସ ଆଗରେ କଂଗ୍ରେସ ର ପ୍ରତିବାଦ

(ଆଦର୍ଶ ରାଉତ) :ତଦନ୍ତ ସଂସ୍ଥା ସିବିଆଇରେ ଲାଗି ରହିଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି । ଏହା ସହିତ ରାତାରାତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ଘଟଣା ମାମଲାକୁ ଆହୁରି ଦ୍ୱନ୍ଦ ଭିତରକୁ ଟାଣି ନେଇଛି । ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଆଜି କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରୁଛି । ସମସ୍ତ ସିବିଆଇ କାର୍ୟ୍ୟାଳୟ ସମ୍ମୁଖରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଓଡ଼ିଶାରେ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ୟ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସଭାପତି କହିଛନ୍ତି ଯେ ବହୁ ଚର୍ଚ୍ଚିତ ରାଫେଲ ଦୁର୍ନିତୀକୁ ଘୋଡ଼ାଇବା ପାଇଁ କେନ୍ଦ୍ର ସରକାରଙ୍କର ଏହା ଏକ ଚକ୍ରାନ୍ତ । ଦେଶରେ ମୋଦୀ ହିଟଲରୀ ଶାସନ ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଛନ୍ତି । ସିବିଆଇର ସର୍ବୋଚ୍ଚ ଅଧିକାରୀଙ୍କୁ ବିନା କୌଣସି ସୂଚନାରେ ରାତି ଅଧିଆ ଛୁଟିରେ ପଠାଇବା ଏବଂ ତାଙ୍କ ସ୍ଥାନରେ ନୂତନ ଅଧିକାରୀଙ୍କୁ ନିଯୁକ୍ତି ଦେବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ । ତେଣୁ କେନ୍ଦ୍ରର ଏଭଳି ହସ୍ତକ୍ଷେପକୁ ତୀବ୍ର ବିରୋଧ କରିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।