ଅଦିନିଆ ରଥଯାତ୍ରା ବିବାଦ ଭିତରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଛି ବେଙ୍ଗାଳୁରୁ ଇସ୍କନ। ପୁରୀ ଶ୍ରୀମନ୍ଦିରର ମୂଳ ପୀଠ ଓ ପରମ୍ପରା ଅନୁଯାୟୀ ନିର୍ଦ୍ଦିଷ୍ଟ ତିଥିରେ ହିଁ ରଥଯାତ୍ରା ପାଳନ କରାଯିବ ବୋଲି ବେଙ୍ଗାଳୁରୁ ଇସ୍କନର ଅଧ୍ୟକ୍ଷ ମଧୁ ପଣ୍ଡିତ ଦାସ ଚିଠି ଲେଖି ପ୍ରତିଶ୍ରୁତି ଦେଇଛନ୍ତି।

ଚିଠିରେ ସ୍ପଷ୍ଟ କରାଯାଇଛି ଯେ, ତାଙ୍କର ଇସ୍କନ ଗ୍ରୁପ୍ ସାରା ଭାରତ ଓ ବିଦେଶରେ “ଶ୍ରୀଲା ପ୍ରଭୁପାଦ ଇସ୍କନ” ନାମରେ ପରିଚିତ। ସେମାନେ ପଶ୍ଚିମବଙ୍ଗର ମାୟାପୁର ମୁଖ୍ୟାଳୟ ଥିବା ଇସ୍କନ ଗ୍ରୁପ୍ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଏକ ସ୍ୱାଧୀନ ପ୍ରତିଷ୍ଠାନ। ପଶ୍ଚିମବଙ୍ଗରେ ଥିବା ଇସ୍କନ ମୁମ୍ବାଇରେ ପଞ୍ଜିକୃତ ହୋଇଥିବା ବେଳେ, ସେମାନଙ୍କର “ଶ୍ରୀଲା ପ୍ରଭୁପାଦ ଇସ୍କନ”ର ଅଫିସିଆଲ୍ ମୁଖ୍ୟାଳୟ ବାଙ୍ଗାଲୋରରେ ପଞ୍ଜିକୃତ ଅଛି। ଏହି ଗ୍ରୁପ୍ର ବୃନ୍ଦାବନ ଚନ୍ଦ୍ରୋଦୟ ମନ୍ଦିର ଉତ୍ତରପ୍ରଦେଶର ମଥୁରା-ବୃନ୍ଦାବନଠାରେ ରହିଛି।

ମଧୁ ପଣ୍ଡିତ ଦାସ ଚିଠିରେ ଲେଖିଛନ୍ତି ଯେ, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ମୂଳ ପୀଠ ଦ୍ୱାରା ପ୍ରଦତ୍ତ ପରାମର୍ଶକୁ ସେମାନେ ସମ୍ପୂର୍ଣ୍ଣ ସମ୍ମାନ କରନ୍ତି। ସାରା ବିଶ୍ୱରେ ଥିବା ସେମାନଙ୍କର ସମସ୍ତ କେନ୍ଦ୍ରରେ ନଅ ଦିନର ରଥଯାତ୍ରା ସମୟସୀମା ମଧ୍ୟରେ ହିଁ ରଥଯାତ୍ରା କରାଯିବ। କେବଳ ସେତିକି ନୁହେଁ, ଶାସ୍ତ୍ରୀୟ ନିୟମ ଓ ନିର୍ଦ୍ଦିଷ୍ଟ ତିଥି ଅନୁଯାୟୀ ସେମାନେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ବିଧି ମଧ୍ୟ ପାଳନ କରୁଛନ୍ତି।