ଖୋର୍ଦ୍ଧା: ଖୋର୍ଦ୍ଧାବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରୁ କ୍ରମାଗତ ଭାବେ ଦୁଇ ଚକିଆ ଯାନ ଚୋରି କରି ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ବାଇକ୍ ଚୋର ଗ୍ୟାଙ୍ଗ୍ର ପର୍ଦ୍ଦାଫାଶ କରିଛି ଖୋର୍ଦ୍ଧା ମଡେଲ୍ ଥାନା ପୋଲିସ୍। ଏହି ଯାନବାହନ ଚୋରି ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ଏହି ଆନ୍ତଃ-ଜିଲ୍ଲା ଗ୍ୟାଙ୍ଗ୍ର ୪ ଜଣ ସଦସ୍ୟଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୧୬ଟି ଚୋରି ବାଇକ୍ ଜବତ କରିବାରେ ସଫଳ ହୋଇଛି।

ଗତ ଜୁନ୍ ୧୭ ତାରିଖରେ ଗୋଡିପୋଖରୀ ସ୍ଥିତ ମଣପ୍ପୁରମ୍ ଫାଇନାନ୍ସ ସମ୍ମୁଖରୁ ଏକ ହିରୋ ଗ୍ଲାମର ବାଇକ୍ ଚୋରି ହୋଇଥିଲା। ଏହି ଘଟଣାକୁ ନେଇ ପୋଲିସ ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ଆପଣେଇଥିଲା ଏବଂ ଚୋରମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ପାଖାପାଖି ଦୀର୍ଘ ଏକ ମାସର କଠିନ ଧରପଗଡ଼ ଏବଂ ଛାନଭିନ୍ ପରେ ଗତ ଜୁଲାଇ ୧୨ ତାରିଖ (ରବିବାର) ରାତିରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ପୋଲିସ ହାତରେ ଧରାପଡ଼ିଥିବା ୪ ଜଣ ଶାତିର ଅଭିଯୁକ୍ତ ହେଲେ, ରାକେଶ ପ୍ରଧାନ ଓରଫ ଲୋକା, ସ୍ୱାଧୀନ ସାମନ୍ତସିଂହାର ଓରଫ ବବୁଲୁ ,ସେକ୍ ସାହାଜାନ୍ ଓରଫ ସାହିଲ୍ , କାହ୍ନା କାଣ୍ଡି ଓରଫ ଅନନ୍ତ । ଅଭିଯୁକ୍ତମାନଙ୍କ ନିକଟରୁ ଜବତ ହୋଇଥିବା ୧୬ଟି ଚୋରି ଗାଡ଼ି ମଧ୍ୟରେ ଲୋକପ୍ରିୟ ବ୍ରାଣ୍ଡର ବାଇକ୍ ଓ ସ୍କୁଟର ରହିଛି। ସେଥିମଧ୍ୟରେ ହିରୋ ଗ୍ଲାମର, ପଲସର, ସ୍ପ୍ଲେଣ୍ଡର, ଏଚଏଫ୍ ଡିଲକ୍ସ, ମାଏଷ୍ଟ୍ରୋ ସ୍କୁଟର ଏବଂ ବଜାଜ କାୱାସାକି ବକ୍ସର ଭଳି ବିଭିନ୍ନ ମଡେଲ୍ ରହିଥିବା ଜଣାପଡିଛି।

ଏହି ବଡ଼ ସଫଳତା ସମ୍ପର୍କରେ ଖୋର୍ଦ୍ଧା ଏସ୍.ପି ପରମାର ସ୍ମିଥ୍ ପର୍ଶୋତମ୍ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ପୋଲିସ୍ ଏହି ଚୋରି ରାକେଟ୍ ସହ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ଖୋଳତାଡ଼ ଜାରି ରଖିଛି। ଏହାସହ ଜବତ ହୋଇଥିବା ଗାଡ଼ିଗୁଡ଼ିକ ଅନ୍ୟ କେଉଁ କେଉଁ ଚୋରି ମାମଲା ସହ ଜଡ଼ିତ ଅଛି, ତାର ମଧ୍ୟ ଅଧିକ ତଦନ୍ତ ଚାଲିଛି। ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ଖୋର୍ଦ୍ଧା ଅଞ୍ଚଳର ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି।