ମାଟିରେ ତିଆରି ମାଙ୍କ ପ୍ରତିମାକୁ ସମ୍ମାନ ଅନ୍ୟ ପଟେ ମଣିଷରୂପି ମାକୁ ଅଣଦେଖା

(ଚିତରଞ୍ଜନ ସାହୁ): ଦଶହରା ଉପଲକ୍ଷେ ଚାରିଆଡ଼େ ଚାଲିଛି ମା ଦୁର୍ଗାଙ୍କ ପୂଜା । ପୂଜକ ମାନେ ନିଷ୍ଠାର ସହିତ ମଣ୍ଡପରେ ମାଙ୍କର ଆବାହନ କରୁଛନ୍ତି । ବଡ଼ ବଡ଼ ସୁଉଚ୍ଚ ତୋରଣରେ ମାଙ୍କୁ ଶାଢୀ ଗହଣାରେ ସୁସଜ୍ଜିତ କରି ମହାଆଡ଼ମ୍ବରରେ ଚାଲିଛି ପୂଜା । ମାଟିରେ ତିଆରି ମାଙ୍କର ଏହି ପ୍ରତିମାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସମ୍ମାନ ଜଚ୍ଚାଉଥିବା ବେଳେ ଅନ୍ୟ ପଟେ କିନ୍ତୁ ମଣିଷ ଶରୀର ଧାରୀ ମାଙ୍କୁ ଊପଯୁକ୍ତ ସମ୍ମାନ ପାଇବାରୁ ବଞ୍ଚିତ ହେଉଛି । ଏହା କଣ ପ୍ରକୃତ ମାନବିକତାର ଲକ୍ଷଣ ।

ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ରେ । ଜିଲ୍ଲାର ସୋହେଲା ସାହୁଟିକିରାଠାରେ କିଛିମାସ ହେବ ମାଟି ଭୂଏ ନାମକ ଜଣେ ବୃଦ୍ଧା ଏକ କୁଡ଼ିଆରେ ଆଶ୍ରୟ ନେଇଥିଲେ । ତାଙ୍କ ନିଜ ଘର ସୋହାଲା ବସ୍ତିରେ । ମଙ୍ଗଳବାର ସଂନ୍ଧାରେ ତାଙ୍କର ମୁତ୍ୟୁ ଘଟିଥିଲା । ତାଙ୍କ ପରିବାରକୁ ଖବର ଦେବା ସତ୍ତେ୍ୱ ଶବସତ୍କାର ପାଇଁ କେହି ଆସି ନଥିଲେ । ଏ ସଂର୍ପକରେ ଖବର ପାଇଁ ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ସେଠାରେ ପହଞ୍ଚିଥିଲେ । ପୂର୍ବତନ ସୋହେଲ ସରପଞ୍ଚକୁଡ଼ୁ ସାହୁ , ଅନିଲ ପଧାନ, ରାଜେଶ ଅଗ୍ରୱାଲ, କୁଳମଣି ଦେୱା,ପ୍ରଫୁଲ ପଧାନ ,ମାର୍କଣ୍ଡ ସା, ସୁଶାନ୍ତ ସାହୁ , ଡ଼ାକ୍ତ ପଧାନ , ଲଳିତ ପଧାନ, ଜଗା ବାଙ୍କ ପ୍ରମୁଖ ମନ୍ତ୍ରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଏକ ଖଟିଆରେ ବୃଦ୍ଧାଙ୍କ ମୃତଦେହକୁ ନେଇ ନିକଟସ୍ଥ ଶ୍ମଶାନରେ ପହଞ୍ଚି ଥିଲେ । ସେଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଗାତ ଖୋଳି ମୃତଦେହକୁ ପୋତିବା ସହ ମୁହଁରେ ମାଟି ଦେଇଥିଲେ ନିଜେ ମନ୍ତ୍ରୀ ସୁଶାନ୍ତ ସିଂ । ମନ୍ତ୍ରୀଙ୍କ ଏହି କାମ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । କିଛି ବ୍ୟକ୍ତି ସକାରାତ୍ମକ ଭାବେ ଏହାକୁ ଗ୍ରହଣ କରିଥିବା ବେଳେ ଅନ୍ୟ କିଛି ବ୍ୟକ୍ତି ନକାରତ୍ମକ ଭାବେ ଗ୍ରହଣ କରିଛନ୍ତି । ଭୋଟ ପାଇବାକୁ ଏହା ମନ୍ତ୍ରୀଙ୍କ ଶସ୍ତା ରାଜନୀତି ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଯୋର ଧରିଛି ।