କଟକ: ଆସନ୍ତା ୧୨ ତାରିଖରେ ବାରବାଟୀରେ ଭାରତ – ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିଲାଗି ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିଲାଗି ପ୍ରଥମ ଟିକେଟ୍ କିଣିଥିଲେ । ଏହାଛଡା ମଙ୍ଗଳବାର କଟକ ମେୟର ସୁବାସ ସିଂ କନ୍ଫରେନସି ହଲ୍ କାଉଣ୍ଟରରୁ ପ୍ରଥମେ ଟିକେଟ୍ କିଣିଛନ୍ତି । ଓସିଏ ଅନୁବନ୍ଧିତ ସଂସ୍ଥା, ଜିଲ୍ଲା, ସ୍କୁଲ, କଲେଜକୁ ଟିକେଟ ବିକ୍ରି କରାଯାଇଛି । ଓସିଏ କନ୍ଫରେନସି ହଲ୍ରେ ୭ ଓ ୮ ତାରିଖରେ ଅଫଲାଇନ୍ ଟିକେଟ୍ ବିକ୍ରି କରାଯିବ । ଏହି ଦୁଇ ଦିନରେ ମୋଟ ଆଠ ହଜାର ଟିକେଟ୍ ବିକ୍ରି କରାଯିବାର ଲକ୍ଷ୍ୟ ରହିଛି । ଆସନ୍ତା ୯ ଓ ୧୦ ତାରିଖରେ ସାଧାରଣ ଦର୍ଶକଙ୍କ ଲାଗି ଟିକେଟ୍ ବିକ୍ରି କରାଯିବ । ଷ୍ଟାଡିୟମ୍ କାଉଣ୍ଟର ସହ କଟକ ଓ ଭୁବନେଶ୍ୱରରେ ଦୁଇଟି ଲେଖାଏଁ କାଉଣ୍ଟର ଖୋଲାଯାଇ ଟିକେଟ୍ ବିକ୍ରି କରାଯିବାର ସୂଚନା ମିଳିଛି । ମୋଟ ୨୯ ହଜାର ୧୫୪ଟି ଟିକେଟ୍ ବିକ୍ରି ହେବାକୁ ଥିବାବେଳେ ଅନଲାଇନରେ ୫ ହଜାର ଟିକେଟ୍ ୫ ମିନିଟ୍ରେ ଶେଷ ହୋଇଯାଇଥିଲା ।
ଏହାଛଡା ଷ୍ଟାୟିୟମ୍ରେ ଅଗ୍ନି ନିରାପତ୍ତା ସଠିକ୍ ନଥିବା ଦର୍ଶାଇ ଡେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ଜୈନିକ ବ୍ୟକ୍ତି ଏହି ମ୍ୟାଚ୍ ବାତିଲ କରିବା ପାଇଁ ହାଇକୋର୍ଟରେ ମାମଲା କରିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଜି ସୁରକ୍ଷାରେ କୌଣସି ତ୍ରୁଟି ହେବ ନାହିଁ ବୋଲି ଆଶ୍ୱାସନା ଦେବା ପରେ ହାଇକୋର୍ଟ ଏହି ମାମଲାକୁ ମଙ୍ଗଳବାର ଖାରଜ କରିଦେଇଛନ୍ତି ।