ନଭେମ୍ବର ୨୩ ରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା

(ରିପୋର୍ଟସ ଟୁଡ଼େ): ଆସନ୍ତା ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବସିଛି ପ୍ରସ୍ତୁତି ବୈଠକ । ବୈଠକରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବାଲିଯାତ୍ରା ଆୟୋଜନ କରାଯିବ । ତେବେ ଚଳିତ ବର୍ଷ ବାଲିଯାତ୍ରା ପଡ଼ିଆରେ ପାଖାପାଖି ୯୮୨ଟି ଷ୍ଟଲ୍ ପଡ଼ିବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଯେହେତୁ ଏହା ପ୍ରଥମ ପ୍ରସ୍ତୁତି ବୈଠକ ତେଣୁ ନୂଆ ଷ୍ଟଲ ପଡ଼ିବା ନେଇ ଆଗାମୀ ବୈଠକରେ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ବାଲିଯାତ୍ରାରେ ଷ୍ଟଲ ଖୋଲୁଥିବା ବ୍ୟବସାୟୀଙ୍କୁ ନଭେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ମଧ୍ୟରେ ଜମି ଆବଣ୍ଟନ କରାଯିବ । ଗତବର୍ଷ ଅସ୍ଥାୟୀ ଭୂମି କର ବାବଦକୁ ବର୍ଗଫୁଟ୍ ପ୍ରତି ୨୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ତେବେ ଚଳିତ ବର୍ଷ ଭିତ୍ତିଭୂମି ବିକାଶ ଏବଂ ପରିବେଶ ସୁରକ୍ଷା ପାଇଁ ବର୍ଗଫୁଟ୍ ପିଛା କେତେ ଟଙ୍କା ବୃଦ୍ଧି କରାଯିବ ତାହା ଆଗାମୀ ବୈଠକରେ ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି । ତେବେ ଚଳିତ ବର୍ଷ ମଧ୍ୟ ଦେଶବିଦେଶରୁ ସାଂସ୍କୃତିକ ଦଳ ବାଲିଯାତ୍ରାରେ ଅଂଶ ଗ୍ରହଣ କରିବେ । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ବ୍ୟବସ୍ଥା କରାଯିବ । ଆଠ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ୨୯ ରେ ଶେଷ ହେବ ।