( ରିପୋର୍ଟସଟୁଡେ): କଟକ ବାଲିଯାତ୍ରାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବା ବେଳେ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ ମଧ୍ୟରେ ପ୍ଲଟ ଆବଣ୍ଟନ ନେଇ ଥିବା ବିବାଦ ତୁଟୁନାହିଁ। ବାରମ୍ବାର ବ୍ୟବସାୟୀ ଓ ପ୍ରଶାସନ ମଧ୍ୟରେ ବିବାଦ ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ପୁଣି ଥରେ ଅଧାରୁ ପ୍ଲଟ ଆବଣ୍ଟନକୁ ବର୍ଜନ କରିଛି ବ୍ୟବସାୟୀ ସଂଘ। ପ୍ଲଟ ଆବଣ୍ଟନକୁ ନେଇ ବାରମ୍ବାର ନିୟମ ବଦଳିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବ୍ୟବସାୟୀ ସଂଘର ସଭାପତି ସୁକାନ୍ତ ମହାନ୍ତି। ଯେଉଁମାନେ ପ୍ଲଟ ପାଇଛନ୍ତି ତାକୁ ଫେରାଇ ଦେବାକୁ ସଂଘ ପକ୍ଷରୁ ଧମକ ଦିଆଯାଇଛି। ଫଳରେ ବାଲିଯାତ୍ରାରେ ଷ୍ଟଲ ପଡିବା ନେଇ ଅନିଶ୍ଚିତତା ଦେଖାଦେଇଛି।
ନଭେମ୍ବର ୨୩ରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରା ପାଇଁ ପୂର୍ବରୁ ମଧ୍ୟ ଫ୍ଲଟ ଫି ମୂଲ୍ୟ ବୃଦ୍ଧିକୁ ବାଲିଯାତ୍ରା ବ୍ୟବସାୟୀ ସଂଘ ବିରୋଧ କରିଥିଲା। ୪ ହଜାର ବର୍ଗ ଫୁଟର ବଡ ପ୍ଲଟ୍ ଆବଣ୍ଟନକୁ ନେଇ ପ୍ରଶାସନ ଓ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ଦେଖାଦେଇଥିଲା। ବଡ ପ୍ଲଟ ପାଇଁ ୧୦ ପ୍ରତିଶତ ଅଧିକ ଟଙ୍କା ଓ ପ୍ଲଟ ଆବଣ୍ଟନ ନେଇ ଜିଲ୍ଲାପାଳଙ୍କ ଅନୁମତି ଦାବିକୁ ବିରୋଧ କରିଥିଲା ସଂଘ। ଏହାକୁ ପ୍ରତ୍ୟାହର ନକଲା ପର୍ୟ୍ୟନ୍ତ ଷ୍ଟଲ ବୁକିଂ ହେବ ନାହିଁ ବୋଲି ବ୍ୟବସାୟୀ ସଂଘ ଚେତାବନୀ ଦେଇଥିଲା। ମାତ୍ର ପରେ ବିବାଦର ସମାଧାନ ହୋଇଥିଲା। ପରେ ଆସନ୍ତା ୭ ଦିନ ମଧ୍ୟରେ ପ୍ଲଟ ବୁକିଂ ଆରମ୍ଭ କରାଯିବ ବୋଲି କୁହାଯାଇଥିଲା ଓ ପ୍ଲଟ ବିକ୍ରି ମଧ୍ୟ ଆରମ୍ଭ ହୋଇଥିଲା। ତେବେ ପୁଣି ଥରେ ଏହି ବିବାଦ ଘନେଇଛି। ବାଲିଯାତ୍ରାକୁ ଆଉ ମାତ୍ର ୬ ଦିନ ବାକି ଥିବା ବେଳେ ପୁଣି ବ୍ୟବସାୟୀ ଓ ପ୍ରଶାସନର ଏହି ବିବାଦ ଘନେଇବା ନେଇ କଟକବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।