କଟକ: ଓଡିଶାରେ ଏମିତି କମ୍ ପ୍ରମୁଖ ଅଞ୍ଚଳ ଥିବ, ଯେଉଁ ଅଞ୍ଚଳକୁ ବାଦାମବାଡି ବସଷ୍ଟାଣ୍ଡରୁ ବସ୍ ଚଳାଚଳ କରୁନଥିବ । ଅର୍ଥାତ୍ ରାତି ପାହିଲେ ସାରା ରାଜ୍ୟରୁ ଲୋକମାନଙ୍କ ପାଦ ପଡିଥାଏ ଏହି ବସଷ୍ଟାଣ୍ଡରେ । ବୈଶାଖର ତାତି ହେଉ ବା ଆଷାଢର ବର୍ଷା କିମ୍ବା ମାଘର ହାଡଭଙ୍ଗା ଜାଡ । ଅହରହ ବାଦାମବାଡି ବସଷ୍ଟାଣ୍ଡର ଛାତି ଉପରେ ଚାଲିଥାଏ ମାଳ ମାଳ ବସ । କଟକ ସହରର ହୃତପିଣ୍ଡ ତଥା ରାଜ୍ୟ ପରିବହନ ଶିଳ୍ପର ମେରୁଦଣ୍ଡ ଏହି ବସଷ୍ଟାଣ୍ଡ ଅନେକ ଦଶନ୍ଧି ହେଲା ଅବହେଳାର ଶିକାର ହୋଇଆସୁଛି । ବର୍ଷା ହେଲେ କାଦୁଅ ପଚପଚ ଭିତରେ ଯିବା ଆସିବା କରିବା ମୁସ୍କିଲ ହୋଇପଡିଛି । ମୌସୁମୀ ବର୍ଷାରେ ବାଦାମବାଡିର ଅନୁଗୁଳ-ପାରାଦୀପ ବସଷ୍ଟାଣ୍ଡର ଅବସ୍ଥା ନକହିବା ହିଁ ଭଲ । ବର୍ଷା ପାଣି ଜମି ରହିବା ଫଳରେ ପଙ୍କ କାଦୁଅରେ ବସଷ୍ଟାଣ୍ଡର ପ୍ରସ୍ଥାନ ରାସ୍ତା ଭର୍ତ୍ତି ହୋଇଯାଇଛି । ସ୍ଥିତି ଏପରି ହୋଇଛି ଯେ , ଲୋକ ଯିବା ଆସିବା କରିବା ତ ଦୂର କଥା, ସେହି ରାସ୍ତା ଦେଇ ବସ୍ ମଧ୍ୟ ଯାଇପାରୁନି । ଫଳରେ ବସ ଯେଉଁ ବାଟ ଦେଇ ପ୍ରବେଶ କରୁଛି ସେହି ବାଟେ ହିଁ ପ୍ରସ୍ଥାନ କରୁଛି । ଅନ୍ୟପକ୍ଷେ ଏପରି ସ୍ଥିତି ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ।
୨ ବର୍ଷ ପୂର୍ବେ ରାଜ୍ୟ ସରକାର ବସଷ୍ଟାଣ୍ଡର ନବୀକରଣ ପାଇଁ ଦେଖି ଥିଲେ ସୁନେଲି ସ୍ୱପ୍ନ । ମାତ୍ର ଏହା କେତେ କାର୍ଯ୍ୟକାରୀ ହୋଇପାରିଛି ତାର ବାସ୍ତବ ଚିତ୍ର ଆପଣ ବସଷ୍ଟାଣ୍ଡର ଅବସ୍ଥା ଦେଖି ଜାଣି ପାରୁଥିବେ । ଖାଲି ସେତିକି ନୁହେଁ ବସଷ୍ଟାଣ୍ଡରେ ଥିବା ବିଶ୍ରାମଗାରର କଥା ନ କହିବା ଭଲ । ବିଶ୍ରାମଗାରଟି ଠିକ୍ ଭାବେ ସଫା ହେଉନଥିବା ବେଳେ ଯାତ୍ରୀମାନେ ଏହି ଅବ୍ୟବସ୍ଥା କାରଣରୁ ସନ୍ତୁଳି ହେଉଛନ୍ତି ।ଅନ୍ୟପକ୍ଷେ ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବା ପରେ ଚେତିଛି ସିଏମସି । ରାତାରାତି ଢେର ବଦଳିଛି ବସଷ୍ଟାଣ୍ଡର ଅବସ୍ଥା । ଯୁଦ୍ଧକାଳୀନ ଭିତ୍ତି ରେ କାଦୁଅ ପଚପଚ ଅବସ୍ଥାରେ ଥିବା ବସଷ୍ଟାଣ୍ଡକୁ ମାଟି ପକାଇ ସମତୁଲ କରାଯାଇଛି । ଏବଂ ଏହିସବୁ କାର୍ଯ୍ୟର ତଦାରଖ କରିଛନ୍ତି ଖୋଦ୍ କଟକ ମେୟର ସୁବାଷ ସିଂ , ତେବେ ବର୍ଷା ଦିନେ ବାରମ୍ବାର ବାଦାମବାଡି ବସଷ୍ଟାଣ୍ଡରେ ଏପରି ସମସ୍ୟା ଦେଖାଦେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ଚାହିଁଛନ୍ତି ସହରବାସୀ ।