ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜିଲ୍ଲାର ଏସ୍‌ପିମାନଙ୍କୁ ସତର୍କ ରହିବାକୁ ନିର୍ଦେଶ

(ରିପୋର୍ଟସ ଟୁଡେ) ସପ୍ତାହକ ମଧ୍ୟରେ ଛତିଶଗଡ଼ରେ ମାଓବାଦୀମାନେ ଯେଉଁଭଳି ଭାବେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଛନ୍ତି, ସେଥିରେ ଚିନ୍ତା ପ୍ରକଟ କରିଛି ରାଜ୍ୟ ପୁଲିସ ବିଭାଗ। ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜିଲ୍ଲାର ଏସ୍‌ପିମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୧୨ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଥିବାରୁ ସେଠାରେ ସୁରକ୍ଷା ବନ୍ଦୋବସ୍ତକୁ ଟାଣ କରି ଦିଆଯାଇଛି। ଫଳରେ ମାଓବାଦୀମାନେ ଓଡ଼ିଶାମୁହାଁ ହେବାର ଆଶଙ୍କା ରହିଛି। ତେଣୁ ମାଲକାନଗିରି, କୋରାପୁଟ, ବରଗଡ଼, ନୂଆପଡ଼ା ଜିଲ୍ଲାରେ ଅଧିକ ସର୍ତକ ରହିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଯେକୌଣସି ସମୟରେ ଛତିଶଗଡ଼ ପୁଲିସ ସହ ମିଶି ଜଏଣ୍ଟ ଅପରେସନ୍‌ ମଧ୍ୟ କରାଯିବାର ସମ୍ଭାବନା ରହିଛି ବୋଲି ପୁଲିସ ଡିଜି ସୂଚନା ଦେଇଛନ୍ତି।
ପୁଲିସ ଡିଜି ଶ୍ରୀ ଶର୍ମାଙ୍କ ସୂଚନା ମୁତବାକ, ସୀମାନ୍ତରେ ପୁଲିସ ଯାଞ୍ଚ କଡ଼ା କରିବାକୁ କୁହାଯାଇଛି। କାରଣ ନିବାର୍ଚନ ସମୟରେ ଉଭୟ ପଟୁ ଗାଡ଼ି ମୋଟର ଚଳାଚଳା ବଢ଼ିଯିବାର ସମ୍ଭାବନା ରହିଛି। ଏହି ସୁଯୋଗ କେତେକ ଅସାମାଜିକ ବ୍ୟକ୍ତି ବିଶେଷମାନେ ନେବାକୁ ଚାହିବେ। ‌କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଏଭଳି ନିର୍ଦେଶ ଦିଆଯାଇଛି।