ଦମ୍ପତ୍ତିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୩ ବର୍ଷର ଶିଶୁପୁତ୍ର ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ

(ଋିପୋର୍ଟସଟୁଡେ) : ଏକ ଦମ୍ପତ୍ତିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୩ ବର୍ଷର ଶିଶୁପୁତ୍ର ସହ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲା ମାହାଙ୍ଗା ଥାନା ନିକଟସ୍ଥ କୁଆଁପାଳ -ତ୍ରିବେଣୀଶ୍ବର ପଟ୍ଟାମୁଣ୍ତାଇ କେନାଲ ବନ୍ଧରେ ଏକ କାର ଭାରସାମ୍ୟ ହରାଇ କେନାଲର ଗଭୀର ପାଣି ମଧ୍ୟକୁ ଖସି ପଡିଥିଲା। କାରରେ ଦମ୍ପତ୍ତିଙ୍କ ସମେତ ୩ ବର୍ଷର ଶିଶୁପୁତ୍ର ରହିଥିଲେ । କାର ଚାଳକ ବିଜୟ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଗାଡିର ଆଗର କାଚ ଭାଙ୍ଗି ବାହାରକୁ ବାହାରିଥିଲେ । ଏହା ସହ ତାଙ୍କ ସ୍ତ୍ରୀ ଓ ଶିଶୁପୁତ୍ରକୁ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ । ଅନ୍ୟ ପଟରେ ‘ବାହୁବଳୀ’ ସିନେମା ଭଳି ମା ନିଜେ ପାଣିରେ ବୁଡି ରହି ଶିଶୁପୁତ୍ରଟିକୁ ଉପରକୁ ଟେକି ଧରିଥିଲେ । ଯାହା ଫଳରେ ଶିଶୁଟିର କିଛି କ୍ଷତି ହୋଇନଥିବା ଜଣାପଡିଛି । ବିଜୟଙ୍କ ଚିତ୍କାର ଶୁଣି କେନାଲରେ ଗାଧୋଉଥିବା ସ୍ଥାନୀୟ ଲୋକ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର ମଧ୍ୟରୁ ମା ଓ ଶିଶୁପୁତ୍ରକୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ । ଉଦ୍ଧାର ପରେ ମା’ ଓ ଶିଶୁପୁତ୍ରଟିକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।