OHRC ରେ ଅଭିଯୋଗ କଲେ ରାଗିଙ୍ଗ ଫ୍ରି କ୍ୟାମ୍ପସ ଅଭିଯାନର ୪ ଜଣିଆ ପ୍ରତିନିଧି ମଣ୍ଡଳୀ

ଦେବଗଡ଼: ଦେବଗଡ଼ ରାଗିଙ୍ଗ ଘଟଣାରେ ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ମିଳିବା ନେଇ OHRC ର ଦ୍ୱାରସ୍ଥ ହେଲା ରାଗିଙ୍ଗ ଫ୍ରି ଆସୋସିଏସନ ଅଭିଯାନ । ଦେବଗଡ଼ ANM ଟ୍ରେନିଙ୍ଗ ସେଣ୍ଟର ରାଗିଙ୍ଗ ଘଟଣାରେ ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ମିଳୁ, ଗତକାଲି ପୂର୍ବାହ୍ନରେ OHRC ର ଦ୍ୱାରସ୍ଥ ହୋଇଛି ରାଗିଙ୍ଗ ଫ୍ରି ଆସୋସିଏସନ ଅଭିଯାନ । ରାଗିଙ୍ଗର ଶିକାର ଛାତ୍ରୀଙ୍କର ୩ ପୃଷ୍ଠାର ଅଭିଯୋଗରେ ରହିଛି ଅତ୍ୟନ୍ତ ହୃଦୟବିଦାରକ, ଦୁଃଖଦ ଓ ନିନ୍ଦନୀୟ ସତ୍ୟତା । ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ଗତ ୩ ମାସ ଧରି ପ୍ରଥମ ବର୍ଷର ଛାତ୍ରୀ ଥିବା ଜଣେ ବିବାହିତା ମହିଳା ତଥା ଜଣେ ଜନନୀଙ୍କୁ ଅତ୍ୟନ୍ତ ହୃଦୟ ବିଦାରକ ଘଟଣାରେ ରାଗିଙ୍ଗ କରାଯାଉଥିଲା ।

ସେ ଛାତ୍ରୀ ମହିଳା ସମ୍ବଲପୁର ଜିଲ୍ଲାର ଓ ଆଡିମିଶନ ପର ଠାରୁ ସିନିଅର ଛାତ୍ରୀ ମାନେ ରାଗିଙ୍ଗ କରାଯିବା ପାଇଁ ଏଠାରେ ରୁଲ ଥିବା କହି ହଷ୍ଟେଲରେ ଗତ ୩ ମାସ ଧରି ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ବାରମ୍ବାର ଇନଚାର୍ଜ ଥିବା ପ୍ରିନସିପାଲଙ୍କୁ ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ ।

ରାଗିଙ୍ଗ ସୀମା ଲଂଘନ କରିବାରୁ ଗତ ୪ ଜୁଲାଇ ୨୦୨୨ ରାତିରେ ଆଣ୍ଟି ରାଗିଙ୍ଗ ସ୍କ୍ୱାର୍ଡ଼କୁ ଟେଲିଫୋନ କରି ଛାତ୍ରୀ ଅଭିଯୋଗ କରିଥିଲେ ଓ ତା ପରଦିନ ୫ ଜୁଲାଇ ୨୦୨୨ ରେ ଦେବଗଡ଼ ଜିଲ୍ଲା ADMO ANM ସେଣ୍ଟରକୁ ଆସି କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ବୁଝାସୁଝା କରିଥିଲେ । କିନ୍ତୁ ରାଗିଙ୍ଗ ନିର୍ଯାତନା ଅସହ୍ୟ ହୋଇ ପଡିଥିବାରୁ ଏହି ଛାତ୍ରୀ ୫ ଜୁଲାଇ ୨୦୨୨ ରାତି ୮ ଟା ବେଳେ ଦେବଗଡ଼ ଜିଲ୍ଲା CDMOଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗରେ ୪ ଜଣ ଅଭିଯୁକ୍ତ ଙ୍କ ନାମ ଉଲ୍ଲେଖ କରାଯାଇଛି ଓ ଅନ୍ୟ ମାନଙ୍କ ନାଁ ସେ ଜାଣି ନଥିବା କହିଛନ୍ତି । ଅବସ୍ଥା ଏଭଳି ଯେ ଏହି ଛାତ୍ରୀ ଜଣଙ୍କ ଆଉ ଏହି ଠାରେ ରହିବା କି ପଢ଼ିବା ପାଇଁ ଆଦୌ ଇଛା ହେଉନଥିବା ଅତ୍ୟନ୍ତ କ୍ଷୋଭର ସହ ଲେଖିଛନ୍ତି ।

ରାଗିଙ୍ଗ ଅଭିଯୋଗ ଆଣିଥିବାରୁ ଆଗକୁ ଏଠାରେ ପାଠ ପଢ଼ା ଓ କାର୍ଯ୍ୟ କରିବା କଷ୍ଟ ହୋଇଯିବ ବୋଲି ସେ ଆଶଙ୍କା କରିଛନ୍ତି । ଏହି ଘଟଣାର ଲିଖିତ ଅଭିଯୋଗ ଓ ପ୍ରକାଶିତ ଖବର ସହ ଗତକାଲି ୬ ଜୁଲାଇ ୨୦୨୨ ପୂର୍ବାହ୍ନରେ ରାଗିଙ୍ଗ ଫ୍ରି କ୍ୟାମ୍ପସ ଅଭିଯାନର ୪ ଜଣିଆ ପ୍ରତିନିଧି ମଣ୍ଡଳୀ OHRC ପହଞ୍ଚି ଏବିଷୟରେ ଅବଗତ କରାଇବା ସହ ଲିଖିତ ଅଭିଯୋଗ ଆଣିଛନ୍ତି । ତେବେ ସେହି ୪ ଜଣିଆ ପ୍ରତିନିଧି ହେଉଛନ୍ତି ତେଜେଶ୍ୱର ପରିଡ଼ା, ମୀର ଅହମ୍ମଦ ଅଲ୍ଲୀ, ନଳିନୀ କାନ୍ତ ନାୟକ ଏବଂ ଶ୍ରୀୟା ମିଶ୍ର ।