ସେନା ମୁଖ୍ୟଙ୍କ ଦୃଷ୍ଟି ଇମରାନଙ୍କ ସରକାର ଉପରେ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାଁ ଏବେ ସଂକଟରେ । ଖାଲି ଇମରାନ ନୁହଁନ୍ତି, ତାଙ୍କ ସରକାର ସଂକଟରେ । ଇମରାନଙ୍କ ଗାଦି ଉପରେ ଏବେ ପାକ ସେନା ମୁଖ୍ୟ ଜେନେରାଲ କରମ ଜାଭେଦ ବାଜୱାଙ୍କ ନଜର । ଇମରାନଙ୍କ ଶାସନ କାଳରେ ପାକିସ୍ତାନର ଅଭ୍ୟନ୍ତରୀଣ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ଥିତି ଖରାପ ହୋଇଯାଇଛି । ଦେଶରେ ମାନ୍ଦାବସ୍ଥା ପାଇଁ ଜନତା ଇମରାନଙ୍କ ଉପରେ କ୍ଷୁବ୍ଧ । ଏପରି ସମୟରେ ଜାଭେଦ ଇମରାନଙ୍କ ଗାଦି ଦଖଲ କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି ।
ନିକଟରେ ପାକର ବଡବଡ ଶିଳ୍ପପତିଙ୍କ ସହ ଏକ ବୈଠକ ହୋଇଥିଲା । ଏହି ବୈଠକରେ ଜାଭେଦ ଯୋଗ ଦେଇ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ, ଯାହାକୁ ସେଠାକାର ରାଜନୈତିକ ଓ ସାମାଜିକ ବିଷାରଦ ପସନ୍ଦ କରିନାହାନ୍ତି । ଜେନେରାଲ ସୀମା ନ ଜଗି ଦେଶର ଅଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅପର ପକ୍ଷରେ ପାକିସ୍ତାନ ସ୍ୱତନ୍ତ୍ର ହେବା ପରଠାରୁ ସେନା ମୁଖ୍ୟଦ୍ୱାରା ଅନେକ ଥର ପାକ ଶାସନ ଯାଇଛି । ୭୨ ବର୍ଷର ସ୍ୱାଧୀନତା ମଧ୍ୟରେ ୩୫ ବର୍ଷ ଧରି ସେନା ମୁଖ୍ୟ ପାକିସ୍ତାନର ଶାସନ କରିଛନ୍ତି ।