(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଓ ଅର୍ଥନୀତି ବିଷାରଦ ଦିଲ୍ଲୀପ ଶତପଥୀଙ୍କ ଗତକାଲି ରାତିରେ ମାତ୍ର ୫୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତକାଲି ରାତିରେ ହଠାତ୍ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ସେ ଦୀର୍ଘ ଦିନରୁ କର୍କଟ ରୋଗରେ ପୀଡିତ ଥିଲେ ।
ସ୍ୱର୍ଗତ ଶତପଥୀଙ୍କର ଅର୍ଥନୀତି ଉପରେ ଗଭୀର ଜ୍ଞାନ ଥିଲା । ସେ ବିଜନେସ ଷ୍ଟାଣ୍ଡାର୍ଡର ଓଡିଶା ବ୍ୟୁରୋ ଚିଫ ଭାବେ କାମ କରିଥିଲେ। ଦୂରଦର୍ଶନରେ ସେ ଉପସ୍ଥାପକ ଭାବେ ମଧ୍ୟ କରିଛନ୍ତି । ତାଙ୍କ ପ୍ରବନ୍ଧ ବିଭିନ୍ନ ଖବର କାଗଜରେ ବେଶ ଆଦୃତ ହେଉଥିଲା । ଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମର ବିତର୍କରେ ସେ ଅଂଶଗ୍ରହଣ କରୁଥିଲେ । ସେ ଜଣେ ନିରପେକ୍ଷ, ସାହସି ସାମ୍ବାଦିକ ଥିଲେ । ସାମ୍ବାଦିକତା କ୍ଷେତ୍ରକୁ ତାଙ୍କର ଦାନ ଅତୁଳନୀୟ । ତାଙ୍କ ନିଧନ ଖବର ପ୍ରଚାର ହେବା ପରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଅକାଳ ବିୟୋଗ ଓଡିଶା ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ।