(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଭାରତ ପୁଣି କୂଟନୈତିକ ବିଜୟ ହାସଲ କରିଛି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାରକୁ ଜାତିସଂଘ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି । ଜାତିସଂଘରେ ଯୋଗଦେଇଥିବା ଭାରତୀୟ ରାଷ୍ଟ୍ରଦୂତ ସୟଦ ଆକବରୁଦ୍ଦିନ ଏ ସଂପର୍କରେ ଟ୍ଵିଟ କରି ଜଣାଇଛନ୍ତି । ବହୁ ବର୍ଷ ଧରି ଭାରତ ଏଥିପାଇଁ ଉଦ୍ୟମ କରିଆସୁଥିଲେ ମଧ୍ୟ ଚୀନ ଏହାକୁ ବିରୋଧ କରି ଆସୁଥିଲା । କିନ୍ତୁ ଜାତିସଂଘର ଅନ୍ୟ ଚାପ ନିକଟରେ ଶେଷରେ ଚୀନ ନିଜ ଆଭିମୁଖ୍ୟକୁ ବଦଳାଇଥିଲା ।
ବିଗତ ୧୦ ବର୍ଷ ହେଲା ଭାରତ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଲାଗିଥିଲା । ପ୍ରତିଥର ଚୀନର ବିରୋଧ ଯୋଗୁଁ ଏହା ହୋଇପାରୁନଥିଲା । ତେବେ ପେବ୍ରୁଆରୀ ୧୪ରେ ହୋଇଥିବା ଫୁଲୱାମା ଆକ୍ରମଣ ପରେ ଭାରତ ଏ ଦିଗରେ କଠୋର ପଦକ୍ଷେପ ନେବା ସହ ଜାତିସଂଘ ନିକଟରେ ଦୃଢ ତାବି ଉପସ୍ଥାପନା କରିଥିଲା । ଏହାକୁ ଫ୍ରାନ୍ସ, ଜର୍ମାନ, ଋଷ, ଆମେରିକା ପ୍ରମୁଖ ମୁଖ୍ୟ ସଦସ୍ୟ ସମର୍ଥନ କରିଥିଲେ । ଶେଷରେ ଚୀନ ମଧ୍ୟ ତାର ମତ ପରିବର୍ତ୍ତନ କରିଛି ।