ଅଡୁଆରେ ଭାରତୀୟ ବକ୍ସିଂ ତାରକା ତଥା ଅଲିମ୍ପିକ୍ ପଦକ ବିଜେତା ମେରି କମ୍। ପୂର୍ବତନ ସ୍ୱାମୀ କରୋଙ୍ଗ ଅଙ୍ଖୋଲେରଙ୍କ ପକ୍ଷରୁ ଦାୟର ଅପରାଧିକ ମାନହାନୀ ମାମଲାରେ ଦିଲ୍ଲୀର ସାକେତ କୋର୍ଟ ମେରି କମ୍ ଙ୍କ ପ୍ରି-ସମନିଂ ନୋଟିସ୍ ଜାରି କରିଛନ୍ତି। ଏହାସହ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ୨୧ ଡିସେମ୍ବର ୨୦୨୬ ତାରିଖ ଧାର୍ଯ୍ୟ ହୋଇଛି।

ସୂଚନା ଅନୁସାରେ, ଚଳିତ ବର୍ଷ ଜାନୁଆରୀ ୧୧ ତାରିଖରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ମେରି କମ୍ ତାଙ୍କ ପୂର୍ବତନ ସ୍ୱାମୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିବା କରୋଙ୍ଗ ଅଭିଯୋଗ କରିଛନ୍ତି। ତାଙ୍କୁ ବେଇମାନ, ଧୋକାବାଜ ଓ ବେରୋଜଗାର କହିବା ସହ ମେରି କମ୍ ଙ୍କ ରୋଜଗାର ଉପରେ ନିର୍ଭରଶୀଳ ବୋଲି ଚିତ୍ରଣ କରାଯାଇଥିବା ସେ ଦାବି କରିଛନ୍ତି।

ଏପରିକି ମେରି କମ୍ ଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ନେଇ ଦୁରୁପଯୋଗ କରିବା ଏବଂ ପିଲାମାନଙ୍କ ପ୍ରତି ନିଜ କର୍ତ୍ତବ୍ୟ ଠିକ୍ ଭାବେ ତୁଲାଇ ନଥିବା ଭଳି ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ କରାଯାଇଥିଲା। ଏହି ବୟାନ ଯୋଗୁଁ ସମାଜରେ ତାଙ୍କର ଭାବମୂର୍ତ୍ତି, ବ୍ୟକ୍ତିଗତ ସମ୍ମାନ ଓ ପ୍ରତିଷ୍ଠା କ୍ଷୁଣ୍ଣ ହୋଇଥିବା କରୋଙ୍ଗ ଅଭିଯୋଗ ଆଣିଛନ୍ତି। ଶୁକ୍ରବାର କରୋଙ୍ଗଙ୍କ ସମେତ ଅନ୍ୟ ଦୁଇଜଣ ସାକ୍ଷୀ ମଧ୍ୟ କୋର୍ଟରେ ନିଜ ବୟାନ ରେକର୍ଡ କରାଇଥିଲେ। ଏହାପରେ ଫାଷ୍ଟ କ୍ଲାସ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଶିବମ୍ ଗୁପ୍ତା ମେରି କମ୍ଙ୍କୁ ନୋଟିସ୍ ଜାରି କରିଛନ୍ତି। ଏନେଇ କରୋଙ୍ଗଙ୍କ ଓକିଲ ଆକାଶ କୃଷ୍ଣ କହିଛନ୍ତି, କୋର୍ଟରେ ପ୍ରି-ସମନିଂ ସାକ୍ଷ୍ୟ ପ୍ରକ୍ରିୟା ଶେଷ ହୋଇଛି। ଏବଂ ଟିଭି ସାକ୍ଷାତକାରରେ ଦିଆଯାଇଥିବା ବୟାନ ତାଙ୍କ ମହକିଲଙ୍କ ଭାବନା, କ୍ୟାରିୟର ଓ ସାମାଜିକ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି।
