ବିଷାକ୍ତ ମଦ ନେଲା ଜୀବନ। ବିଷାକ୍ତ ମଦ ପିଇ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଣିପୁରରେ ଘଟିଛି ଏହି ଘଟଣା।
ପ୍ରାଥମିକ ସୂଚନା ଅନୁସାରେ, ଏହି ମଦରେ ମିଥାନଲ୍ ଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସାଇଣ୍ଟିଫିକାଲି ସ୍ପଷ୍ଟ ହୋଇନାହିଁ। ପୋଲିସର ସୂଚନା ଅନୁସାରେ, ମୃତକମାନେ ପିଇଥିବା ମଦ କାକଚିଙ୍ଗ ଜିଲ୍ଲାର ସୁଗ୍ନୁ ଅଞ୍ଚଳରୁ ଆସିଥିବା କୁହାଯାଉଛି। ଏନେଇ ଘଟଣାର ତଦନ୍ତ ଜାରି ରହିଛି। ଅନ୍ୟପଟେ, ମଣିପୁର ମୁଖ୍ୟମନ୍ତ୍ରୀ ୟୁମନାମ୍ ଖେମଚାନ୍ଦ ସିଂହ ହସ୍ପିଟାଲ ଗସ୍ତ କରି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଘଟଣାର ତଦନ୍ତ କରି ଦୋଷୀଙ୍କୁ ଶୀଘ୍ର ଗିରଫ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି। ମଦ ପିଇବା ପରେ ବାନ୍ତି, ପେଟ ଯନ୍ତ୍ରଣା, ମୁଣ୍ଡ ବୁଲାଇବା କିମ୍ବା ଦୃଷ୍ଟି ଶକ୍ତି ଧୁସର ହେବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ହସ୍ପିଟାଲ ଯିବାକୁ ପରାମର୍ଶ ଦିଆଯାଇଛି।