ମାଲିକଙ୍କ ଝିଅକୁ ଭଲ ପାଇବା ହେଲା କାଳ । ହତ୍ୟା ପାଇଁ ରଚାଯାଇଥିଲା ସାଂଘାତିକ ଷଡ଼ଯନ୍ତ୍ର । ନିଜର ଜଣେ କର୍ମଚାରୀଙ୍କ ସହିତ ଝିଅର ସମ୍ପର୍କ ଥିବା ଜାଣି ପାରିଥିଲେ ଜଣେ ବ୍ୟବସାୟୀ। ସେମାନଙ୍କୁ ରଙ୍ଗେ ହାତ ଧରିବାକୁ ଓ କର୍ମଚାରୀ ଜଣକଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ସେ ରଚିଥିଲେ ଷଡ଼ଯନ୍ତ୍ର। ସେ ବିଛେଇ ଥିବା ଜାଲରେ ପଡ଼ିଯାଇଥିଲେ ତାଙ୍କ ଝିଅ ଓ ଝିଅର ପ୍ରେମିକ। ଆଉ ଚାଲିଗଲା ପ୍ରେମିକର ଜୀବନ। ବେଙ୍ଗାଲୁରୁରେ ଘଟିଛି ଏହି ଘଟଣା।
ମୃତକଙ୍କ ନାଁ କିରଣ। ତାଙ୍କ ଘର କେରଳର ପାଲାକ୍କଡ ଜିଲ୍ଲାରେ। ତାଙ୍କୁ ୨୨ ବର୍ଷ ହୋଇଥିଲା। ସେ କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ଅଭିଯୁକ୍ତ ଆନନ୍ଦରାଜଙ୍କ ଏକ ମ୍ୟାନୁଫ୍ୟାକ୍ଚରିଙ୍ଗ ୟୁନିଟରେ କାମ କରୁଥିଲେ। ସେଠାରେ କାମ କରିବା ଭିତରେ ମାଲିକ ଆନନ୍ଦରାଜଙ୍କ ୧୯ ବର୍ଷୀୟା ଝିଅଙ୍କ ପ୍ରେମରେ ପଡ଼ିଯାଇଥିଲେ। ସେମାନେ ପରସ୍ପରକୁ ଭଲ ପାଉଥିଲେ।
ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ଆନନ୍ଦରାଜ ନିକଟରେ ହିଁ କିରଣ ଏବଂ ତାଙ୍କ ଝିଅଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ।
ଗତ ମଙ୍ଗଳବାର ଆନନ୍ଦରାଜ ଏବଂ ତାଙ୍କ ପତ୍ନୀ ସକାଳୁ ଘରୁ ବାହାରି ଯାଇଥିଲେ। ସେମାନେ ନିଜ ଝିଅକୁ (ଯିଏ ପଡ଼ୋଶୀ ସହରରେ ପାଠ ପଢ଼ୁଥିବା ବେଳେ ଛୁଟି କାଟିବାକୁ ବେଙ୍ଗାଲୁରୁ ଆସିଥିଲେ) କହିଥିଲେ ଯେ ସେମାନେ ସାରା ଦିନ ବାହାରେ ରହିବେ। ତେବେ କିଛି ଘଣ୍ଟା ପରେ ଏହି ଦମ୍ପତି ଘରକୁ ଫେରି ଆସିଥିଲେ। ସେମାନେ ଘରେ ଝିଅ ସହ କିରଣଙ୍କୁ ଦେଖିବାକୁ ପାଇଥିଲେ।