ଦିୟା ମିର୍ଜାଙ୍କ ବିରୋଧରେ କରାଯାଇଥିବା ରାଜନୈତିକ ମନ୍ତବ୍ୟକୁ ବମ୍ବେ ହାଇକୋର୍ଟଙ୍କ କଡ଼ା ସମାଲୋଚନା
ଦୀପାବଳି ଭିଡିଓ ପୁନର୍ବାର ଅପଲୋଡ୍ କରିବାକୁ ବିଏମସିକୁ ନିର୍ଦ୍ଦେଶ।
ମୁମ୍ବାଇ: ଭାରତ ଏକ ଧର୍ମନିରପେକ୍ଷ ଦେଶ ବୋଲି ଦର୍ଶାଇ, ବମ୍ବେ ହାଇକୋର୍ଟ ମଙ୍ଗଳବାର ଦିନ ଅଭିନେତ୍ରୀ ଦିୟା ମିର୍ଜାଙ୍କ ବିରୋଧରେ ରାଜନେତାମାନଙ୍କ ଦ୍ୱାରା ବ୍ୟବହୃତ ମନ୍ତବ୍ୟ ଉପରେ କଡ଼ା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ, କୋର୍ଟ ମୁମ୍ବାଇ ମହାନଗର ନିଗମକୁ ସେହି ଭିଡିଓଟିକୁ ପୁନର୍ବାର ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକୁ ପୂର୍ବରୁ ହଟାଇ ଦିଆଯାଇଥିଲା। ଏହି ଭିଡିଓରେ ଅଭିନେତ୍ରୀ ଜଣକ ପରିବେଶ ଅନୁକୂଳ ଏବଂ ବାଣମୁକ୍ତ ଦୀପାବଳି ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।
ବୃହନ୍ ମୁମ୍ବାଇ ମହାନଗର ନିଗମ (BMC) ପାଇଁ ପ୍ରସ୍ତୁତ ଏକ ସଚେତନତା ଭିଡିଓରେ, ୪୪ ବର୍ଷୀୟା ଏହି ଅଭିନେତ୍ରୀ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶର ଉଲ୍ଲେଖ କରି ସର୍ବସାଧାରଣ ରାସ୍ତାରେ ବାଣ ନ ଫୁଟାଇବାକୁ ଲୋକମାନଙ୍କୁ ଅନୁରୋଧ କରିଥିଲେ।
ମୁମ୍ବାଇ ବିଜେପି ମୁଖ୍ୟ ଅମିତ ସତମ ଏହି ଭିଡିଓକୁ ବିରୋଧ କରିବା ପରେ ଏହାକୁ ହଟାଇ ଦିଆଯାଇଥିଲା। କିନ୍ତୁ ମାଧୁରୀ ଦୀକ୍ଷିତ ଏବଂ କ୍ରିକେଟର ଅଜିଙ୍କ୍ୟ ରାହାଣେଙ୍କ ଭଳି ଅନ୍ୟ ସେଲିବ୍ରିଟିମାନଙ୍କର ଭିଡିଓଗୁଡ଼ିକ ଏବେ ମଧ୍ୟ ମହାନଗର ନିଗମର ସୋସିଆଲ ମିଡିଆ ଆକାଉଣ୍ଟରେ ଉପଲବ୍ଧ ରହିଛି। ମୁମ୍ବାଇର ମେୟର ଋତୁ ତାୱଡେ ଅଭିଯୋଗ କରିଛନ୍ତି ଯେ, ଅଭିନେତ୍ରୀ ଜଣକ “ସର୍ବଦା ହିନ୍ଦୁ-ବିରୋଧୀ ଏବଂ ସରକାର-ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଆସିଛନ୍ତି” ଏବଂ ଏହି କାରଣରୁ ତାଙ୍କୁ ବିରୋଧ କରାଯାଉଛି। ମହାରାଷ୍ଟ୍ରର ମନ୍ତ୍ରୀ ନିତେଶ ରାଣେ କହିଛନ୍ତି ଯେ, ମହାନଗର ନିଗମ ପକ୍ଷରୁ ଦିୟା ମିର୍ଜାଙ୍କ ଭଳି ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରିବା ଭୁଲ୍ ଅଟେ। ସେ କହିଛନ୍ତି, “ଦିୟା ମିର୍ଜା ଦୀପାବଳି ବିଷୟରେ ଟ୍ୱିଟ୍ କରିଛନ୍ତି, କିନ୍ତୁ ଇଦ୍, ମୁହରମ୍ କିମ୍ବା ବକ୍ରି ଇଦ୍ ସମୟରେ ସେ କେବେବି ଏଭଳି ଟ୍ୱିଟ୍ କରନ୍ତି ନାହିଁ କିମ୍ବା ପରାମର୍ଶ ଦିଅନ୍ତି ନାହିଁ।”

“ସେମାନେ କେବଳ ପରିବେଶ ଅନୁକୂଳ ହୋଲି କିମ୍ବା ଦୀପାବଳି ବିଷୟରେ କଥା ହୁଅନ୍ତି। ସେମାନଙ୍କୁ ପରିବେଶ ଅନୁକୂଳ ରମଜାନ ଏବଂ ବକ୍ରି ଇଦ୍ ବିଷୟରେ ମଧ୍ୟ କଥା ହେବା ଉଚିତ୍। ତାଙ୍କ ଭଳି ଲୋକମାନେ ସନାତନ ହିନ୍ଦୁ ଧର୍ମର ବିରୋଧୀ। ଭବିଷ୍ୟତରେ ଯେପରି ଏଭଳି ଘଟଣା ନ ଘଟେ, ସେ ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି,” ବୋଲି ସେ କହିଛନ୍ତି।
ଜଷ୍ଟିସ ଗିରିଶ କୁଲକର୍ଣ୍ଣି ଏବଂ ଜଷ୍ଟିସ ନୀଲା ଗୋଖଲେଙ୍କ ଖଣ୍ଡପୀଠ କହିଛନ୍ତି ଯେ, କିଛି ବ୍ୟକ୍ତିଙ୍କର, ବିଶେଷକରି ଯେଉଁମାନେ ସାଧାରଣ ଜନତାଙ୍କ ପ୍ରତିନିଧି, ସେମାନଙ୍କର ଏଭଳି “ସଂକୀର୍ଣ୍ଣ ମାନସିକତା” ଦେଖି ସେମାନେ ବ୍ୟଥିତ। ହାଇକୋର୍ଟ କହିଛନ୍ତି ଯେ, ପରିବେଶ ସୁରକ୍ଷା ତଥା ବାୟୁ ଓ ଶବ୍ଦ ପ୍ରଦୂଷଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ଭିଡିଓକୁ ଯେଉଁଭଳି ଭାବେ ଏକ ଭିନ୍ନ ରୂପ ଦିଆଗଲା, ତାହା “ଅତ୍ୟନ୍ତ ଦୁର୍ଭାଗ୍ୟଜନକ”।
ହାଇକୋର୍ଟ କହିଛନ୍ତି, “ଆମେ କୌଣସି ରାଜନେତା କିମ୍ବା ଗତକାଲି ମନ୍ତବ୍ୟ ଦେଇଥିବା କୌଣସି ବ୍ୟକ୍ତିଙ୍କୁ ସଚେତନତା ସୃଷ୍ଟି କରୁଥିବା ଭିଡିଓ ପ୍ରସ୍ତୁତ କରିବାର ଦେଖିନାହୁଁ। ଆମେ ଏକ ଧର୍ମନିରପେକ୍ଷ ଦେଶରେ ରହୁଛୁ। ଏହି ଘଟଣା ଆମକୁ ବହୁତ ଆଘାତ ଦେଇଛି। ଏହି ପ୍ରସଙ୍ଗଟି ପରିବେଶ ସହ ଜଡ଼ିତ ଏବଂ ଧର୍ମ କିମ୍ବା ଜାତି ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତି ସମାନ ବାୟୁରେ ନିଶ୍ୱାସ ନେଉଛନ୍ତି।”
ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, ସଚେତନତା ସୃଷ୍ଟି କରିବା ପାଇଁ ସେଲିବ୍ରିଟି ବା ସୁନାମଧନ୍ୟ ବ୍ୟକ୍ତିତ୍ୱମାନଙ୍କୁ ଚୟନ କରିବାରେ ନଗର ନିଗମ କମିଶନରଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ଥିଲା। କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ, ଏହାକୁ ନେଇ ଅନ୍ୟ ଅନାବଶ୍ୟକ ପ୍ରସଙ୍ଗଗୁଡ଼ିକୁ ଉଠାଗଲା।ଯେଉଁମାନେ ଏହି ଆପତ୍ତି ଉଠାଇଥିଲେ, ସେମାନଙ୍କୁ କୋର୍ଟ ସତର୍କ କରାଇ ଦେଇ କହିଲେ ଯେ ସମାଜରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ, ସେମାନଙ୍କ ଧର୍ମ, ଜାତି କିମ୍ବା ମତ ନିର୍ବିଶେଷରେ, ସମ୍ମାନ ଦେବା ଉଚିତ୍।

କୋର୍ଟ କହିଲେ, “ଏଠାରେ ଏକ ଧର୍ମନିରପେକ୍ଷ ଭାବନା ରହିବା ଆବଶ୍ୟକ ଏବଂ ସମ୍ବିଧାନ ନାଗରିକମାନଙ୍କଠାରୁ ଏହି ଭାବନାକୁ ପ୍ରୋତ୍ସାହିତ କରିବା ଆଶା କରେ। ଯଦି ସେହି ଭିଡିଓ କ୍ଲିପ୍ଟିକୁ ହଟାଇ ଦିଆଯାଇଥାଏ, ତେବେ ଏହାକୁ ପୁନର୍ବାର ଅପଲୋଡ୍ କରିବା ଉଚିତ୍ ହେବ।” କୋର୍ଟ ଆହୁରି ମଧ୍ୟ କହିଲେ ଯେ, ମୁମ୍ବାଇ ଭଳି ଏକ ସହର ପରସ୍ପର ସହ ମିଳିମିଶି ରହିବା ଏବଂ ସମାଜ ପ୍ରତି ଏକ ଦୃଢ଼ ଆପଣାପଣର ଭାବନା ଉପରେ ତିଷ୍ଠି ରହିଛି; ତେଣୁ କୌଣସି “ଅପରିଚିନ୍ତତ ମନ୍ତବ୍ୟ” ଦ୍ୱାରା ଏହି ବାତାବାରଣକୁ ବ୍ୟାହତ କରାଯିବା ଉଚିତ୍ ନୁହେଁ।
କୋର୍ଟ କହିଲେ ଯେ, ସାର୍ବଜନୀନ ପଦବୀରେ ଥିବା ବ୍ୟକ୍ତିଙ୍କଠାରୁ ଏଭଳି ଆଚରଣ ଆଶା କରାଯାଏ ନାହିଁ। ଏହା ସହିତ କୋର୍ଟ କହିଲେ ଯେ, ବିବାଦ ସୃଷ୍ଟି ହେବା ପରେ ମହାନଗର ନିଗମ (ସିଭିକ୍ ବଡି) ପକ୍ଷରୁ ମିର୍ଜାଙ୍କ ଭିଡିଓ କ୍ଲିପ୍ଟିକୁ ହଟାଇ ଦିଆଯିବା ଉଚିତ୍ ନଥିଲା ଏବଂ ଏହି ସଂସ୍ଥାକୁ ଅଭିନେତାଙ୍କ ସେହି ଭିଡିଓକୁ ପୁନର୍ବାର ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦେଲେ।