ରାଇଜିଂ ଷ୍ଟାର୍ସ ଏସିଆ କପ୍ ୨୦୨୬ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ବିସିସିଆଇର ସିନିୟର ଚୟନ କମିଟି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୫ ଜଣିଆ ଇଣ୍ଡିଆ-ଏ ଦଳ ଚୟନ କରିଛି। ଦଳର ନେତୃତ୍ୱ ଭାର ତିଲକ ବର୍ମାଙ୍କୁ ମିଳିଥିବା ବେଳେ ରଜତ ପାଟିଦାରଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ସବୁଠାରୁ ଆକର୍ଷଣୀୟ କଥା ହେଉଛି, ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି।

ନଭେମ୍ବର ୧୯ରୁ ୨୯ ତାରିଖ ପର୍ଯ୍ୟନ୍ତ କତାରର ରାଜଧାନୀ ଦୋହାରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ଭାରତୀୟ ଦଳକୁ ଗ୍ରୁପ୍-ବି’ରେ ସ୍ଥାନ ମିଳିଥିବା ବେଳେ ଏହି ଗ୍ରୁପ୍ରେ ପାକିସ୍ତାନ-ଏ, ନେପାଳ ଏବଂ ୟୁଏଇ ରହିଛନ୍ତି। ଫଳରେ ଲିଗ୍ ପର୍ଯ୍ୟାୟରେ ଭାରତ-ପାକିସ୍ତାନ ମୁକାବିଲାକୁ ନେଇ ଏବେଠାରୁ ଉତ୍ସାହ ବଢ଼ିଛି।

ଦଳରେ ଅଭିଷେକ ଶର୍ମା, ପ୍ରଭସିମରନ ସିଂହ, ରିଙ୍କୁ ସିଂହଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ସହ ଅନେକ ଯୁବ ପ୍ରତିଭାଙ୍କୁ ସୁଯୋଗ ମିଳିଛି। ୱିକେଟ୍ କିପର ଭାବେ ପ୍ରଭସିମରନ ସିଂହ ଓ କୁମାର କୁଶାଗ୍ର ଦଳରେ ସାମିଲ ହୋଇଛନ୍ତି। ଏହାବ୍ୟତୀତ ସୂର୍ଯ୍ୟାଂଶ ସେଡଗେ, ଶାହବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିଆନ, ହର୍ଷିତ ରାଣା, ପ୍ରିନ୍ସ ଯାଦବ ଏବଂ ଅରଶଦ ଖାନଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି।

ଅନ୍ୟପକ୍ଷରେ ଗ୍ରୁପ୍-ଏ’ରେ ବାଂଲାଦେଶ-ଏ, ଶ୍ରୀଲଙ୍କା-ଏ, ଆଫଗାନିସ୍ତାନ-ଏ ଏବଂ ହଂକଂ ଚାଇନା ରହିଛନ୍ତି। ଉଭୟ ଗ୍ରୁପ୍ର ଶ୍ରେଷ୍ଠ ଦୁଇଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ନଭେମ୍ବର ୨୬ ଓ ୨୭ରେ ସେମିଫାଇନାଲ ଖେଳାଯିବାକୁ ଥିବା ବେଳେ ନଭେମ୍ବର ୨୯ରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ। ଏବେ ଯୁବ ଖେଳାଳିଙ୍କ ପାଇଁ ନିଜ ପ୍ରତିଭା ପ୍ରମାଣିତ କରିବା ସହ ଭାରତୀୟ କ୍ରିକେଟ୍ରେ ନିଜ ସ୍ଥାନ ମଜବୁତ କରିବାର ଏହା ଏକ ବଡ଼ ସୁଯୋଗ ହେବ।
