ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାର୍କରସ୍ ଆସୋସିଏସନ ପକ୍ଷରୁ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଏକ ବିରାଟ ରାଲି କରି ବିଭିନ୍ନ ନାରା ବାଜି ଦେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ବିକ୍ଷୋଭ ପ୍ରଦର୍ଶନ  ଓ ପ୍ରତିବାଦ କରିଛନ୍ତି।ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନର ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ   କର୍ମୀ ଓ ସହାୟିକା ଯୋଗଦେଇ ଥିଲେ। ଆନ୍ଦୋଳନ କାରୀଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି ସରକାରୀ କର୍ମଚାରୀର ମାନ୍ୟତା, ମାସିକ ପାରିଶ୍ରମିକ ବୃଦ୍ଧି, ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର, ବକେୟା ଅର୍ଥ ପ୍ରଦାନ, ପଦୋନ୍ନତି ସୁଯୋଗ ଏବଂ ମାତୃତ୍ୱ ଓ ଅବସରକାଳୀନ ସହାୟତା ପ୍ରଦାନ। ଏହି ଅବସରରେ ଜିଲ୍ଲାପାଳଙ୍କ ଜରିଆରେ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।