ଫିଟ୍ନେସ୍ ଓ ବୋଲିଂକୁ ନେଇ ସମାଲୋଚନାର ଜବାବ ଦେଲେ ମହମ୍ମଦ ସାମି

ନିଜର ଫିଟ୍‌ନେସ୍‌ ଓ ବୋଲିଂକୁ ନେଇ ହେଉଥିବା ସମାଲୋଚନା ଉପରେ ମୁହଁ ଖୋଲିଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ବାହାରେ କିଏ କ’ଣ କହୁଛନ୍ତି, ସେଥିପ୍ରତି ଧ୍ୟାନ ନଦେଇ ନିଜ ଖେଳ ଉପରେ ଫୋକସ୍‌ କରୁଥିବା ସେ ସ୍ପଷ୍ଟ କରିଛନ୍ତି। ସେହିପରି ଜାତୀୟ ଦଳରେ ସୁଯୋଗ ନମିଳିବା ପ୍ରସଙ୍ଗରେ ଆଉ କିଛି କହିବାକୁ ଚାହୁଁନାହାନ୍ତି ସାମି।

୨୦୨୬-୨୭ ରଣଜୀ ଟ୍ରଫି ସିଜିନ୍‌ର ପ୍ରଥମ ମ୍ୟାଚ୍‌ରେ ବେଙ୍ଗଲ ପକ୍ଷରୁ ଖେଳି ଦିଲ୍ଲୀ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି ଏହି ଅଭିଜ୍ଞ ବୋଲର। କଲ୍ୟାଣୀରେ ଖେଳାଯାଇଥିବା ମ୍ୟାଚ୍‌ର ପ୍ରଥମ ଦିନରେ ସାମି ମାତ୍ର ୩୦ ରନ୍‌ ଦେଇ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ। ତାଙ୍କର ଏହି ଘାତକ ବୋଲିଂ ଯୋଗୁଁ ଦିଲ୍ଲୀ ଦଳ ୨୪୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା।

୩୬ ବର୍ଷୀୟ ସାମି ଦୀର୍ଘ ସମୟ ଧରି ଭାରତୀୟ ଜାତୀୟ ଦଳରୁ ବାହାରେ ରହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଏହି ସମୟରେ ଚାରି ବର୍ଷ ପରେ ଜାତୀୟ ଦଳକୁ ଫେରିଥିବା ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନକୁ ସମର୍ଥନ ଜଣାଇଛନ୍ତି ସାମି।