ଆସନ୍ତାକାଲି ‘ଓଡ଼ିଶା ବନ୍ଦ’ ଡାକରାକୁ ନେଇ ସତର୍କ ହୋଇଛି ରାଜ୍ୟ ପ୍ରଶାସନ। ନବ ନିର୍ମାଣ କୃଷକ ସଂଗଠନ (NNKS) ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ବିଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ସମର୍ଥନ ଜଣାଇଛନ୍ତି।
ବନ୍ଦକୁ ଦୃଷ୍ଟିରେ ରଖି ଗୃହ (ସ୍ୱତନ୍ତ୍ର) ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସତର୍କ ରହିବା ସହ ଆଇନଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ବିଭାଗର ଯୁଗ୍ମ ଶାସନ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ଚିଠି ଲେଖି ଆବଶ୍ୟକ ପ୍ରତିଷେଧକ ଓ ସୁରକ୍ଷାମୂଳକ ପଦକ୍ଷେପ ନେବାକୁ କହିଛନ୍ତି।
ବନ୍ଦ ସମୟରେ ରାସ୍ତାରୋକ, ଗାଡ଼ିମୋଟର ଚଳାଚଳରେ ବାଧା, ଟାୟାର ଜାଳିବା ଓ ଟ୍ରାଫିକ ସମସ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସେଥିପାଇଁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ସହ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି।
ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଯେପରି ସ୍ୱାଭାବିକ ଭାବେ ଚାଲିପାରିବ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି। ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନକୁ ବିଶେଷ ଗୁରୁତ୍ୱ ଦେବାକୁ କୁହାଯାଇଛି।