ଟିମ୍ ଇଣ୍ଡିଆରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ ୨୦୨୬ ପାଇଁ ଭାରତୀୟ କ୍ରିକେଟ୍ ଦଳ ପ୍ରସ୍ତୁତି ଜୋରଦାର ଚାଲିଛି । ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ପୁରୁଷ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ନେତୃତ୍ୱ ଶ୍ରେୟସ ଆୟର ନେବେ । ସେହିପରି ଭାରତର ପୂର୍ବତନ କ୍ରିକେଟର ଭି.ଭି.ଏସ୍. ଲକ୍ଷ୍ମଣ ପୁଣିଥରେ ଟିମ୍ ଇଣ୍ଡିଆ ହେଡକୋଚ୍ ଭୂମିକା ନିର୍ବାହ କରିବେ । ତାଙ୍କ ମାର୍ଗଦର୍ଶନରେ ଟିମ୍ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଏସିୟାନ ଗେମସ୍ ୨୦୨୬ରେ ଅଂଶଗ୍ରହଣ କରିବ । ଲକ୍ଷ୍ମଣଙ୍କ ସହ ସୁନୀଲ ଯୋଶୀ, ହୃଷୀକେଶ କାନିତକର ଓ ଶୁଭଦୀପ ଘୋଷ ସପୋର୍ଟ ଷ୍ଟାଫ୍‌ର ଅଂଶ ହେବେ। ଅନ୍ୟପଟେ ମାରୁଫ୍ ଫଜନ୍ଦର ଦଳର ସପୋର୍ଟ ଷ୍ଟାଫ୍‌ର ମୁଖ୍ୟ ଭୂମିକା ତୁଲାଇବେ। ଭାରତୀୟ ଦଳରେ ଅନେକ ବଡ଼ ବଡ଼ ଟି-୨୦ ତାରକା ସାମିଲ ଅଛନ୍ତି ।

 ଭାରତୀୟ ଦଳକୁ ଏସିଆନ୍ ଗେମ୍ସରେ ଗ୍ରୁପ୍ ଷ୍ଟେଜ୍ ଖେଳିବାକୁ ପଡ଼ିବ ନାହିଁ । ଭାରତକୁ ସିଧାସଳଖ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ ମିଳିଛି । ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ ଖେଳିବ ଏବଂ ଏହା ହିଁ ଏସିଆନ୍ ଗେମ୍ସ ୨୦୨୬ରେ ଦଳର ପ୍ରଥମ ମୁକାବିଲା ହେବ । ଅନ୍ୟପଟେ ପାକିସ୍ତାନ ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ମଇଦାନକୁ ଓହ୍ଲାଇବ । ଭାରତ ଏବଂ ପାକିସ୍ତାନ ବ୍ୟତୀତ ଶ୍ରୀଲଙ୍କା ଏବଂ ବାଂଲାଦେଶକୁ ମଧ୍ୟ ସିଧାସଳଖ କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ମିଳିଛି ।