ମାଛ ଧରିବା ହେଲା କାଳ, ସାପୁଆ ନଦୀରେ ଭାସିଗଲେ ଦୁଇ ଭାଇ

ମାଛ ଧରୁ ଧରୁ ଚାଲିଗଲା ଦୁଇ ଭାଇଙ୍କ ଜୀବନ । ଗୁରୁବାର ଦିନ କଟକ ଜିଲ୍ଲାର ଆଠଗଡ଼ ପୋଲିସ ସୀମା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମ ନିକଟରେ ସାପୁଆ ନଦୀରେ ଦୁଇ ଭାଇ ଭାସିଯାଇଛନ୍ତି । ସୂଚନା ଅନୁଯାୟୀ, ମଣ୍ଟୁ ସାମଲ (35) ଏବଂ ପିଣ୍ଟୁ ସାମଲ (25) ନାମକ ଦୁଇ ଭାଇ ମାଛ ଧରିବାକୁ ନଦୀକୁ ଯାଇଥିବା ବେଳେ ସ୍ରୋତରେ ଭାସି ଯାଇଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ନଦୀରେ ଦୁଇ ଭାଇ ମାଛ ଧରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗ୍ରାମବାସୀ ଏବଂ ଅଗ୍ନିଶମ ସେବା ବିଭାଗର କର୍ମଚାରୀଙ୍କ ସହାୟତାରେ ନଦୀରେ ସନ୍ଧାନ ଅଭିଯାନ ଆରମ୍ଭ ହୋଇଥିଲା। ଖୋଜା ଖୋଜି ସମୟରେ, ସାନ ଭାଇ ପିଣ୍ଟୁ ସାମଲଙ୍କ ମୃତଦେହ ପାଣିରୁ ଉଦ୍ଧାର କରାଯାଇଥିଲା। ତଥାପି, ମଣ୍ଟୁ ସାମଲ ନିଖୋଜ ଅଛନ୍ତି, ଏବଂ ତାଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଯାଇଛି, ଏବଂ ଅଧିକ ତଦନ୍ତ ଜାରି ରହିଛି।