ପାରିବାରିକ  କଳହର ଉଗ୍ର ରୂପ:  ଝିଅକୁ ଧରି କୂଅକୁ ଡେଇଁଲା ମା’

ଯାହାକୁ ଜନ୍ମ ଦେଇଥିଲା  ତାର ଜୀବନ ନେଲା ।  ନିଜ ଜନ୍ମ କଲା ଝିଅକୁ ଅଣ୍ଟାରେ ବାନ୍ଧି କୂଅକୁ ଡେଇଁ ପଡ଼ିଲେ ମହିଳା ।  କୂଅକୁ ଡେଇଁ ପଡ଼ିବାରୁ ମା’ ଓ ଝିଅର ସେଠାରେ ମୃତ୍ୟୁ ଘଟିଛି। ତେଲଙ୍ଗାନାର ମେଞ୍ଚାରିଆଲ ଜିଲ୍ଲାର ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ଗୋତଲା ରଜିତା ଓ ତାଙ୍କ ୬ ବର୍ଷର ଝିଅ ଅକ୍ଷିତା। ୭ ବର୍ଷ ତଳେ ଜାଗିତିଆଲ ଜିଲ୍ଲାର ମେରୁଗୁ ଅଞ୍ଜାଇଆଙ୍କୁ ବିବାହ କରିଥିଲେ ରଜିତା।  ବିବାହର କିଛି ଦିନ ପରେ  ମେମାନଙ୍କର  ପୁଅ ଓ ଝିଅ ହୋଇଥିଲା । ହସଖୁସିରେ ସଂସାର  ଚାଲିଥିଲା ।   ହଠାତ୍ ରଜିତାଙ୍କ ବୈବାହିକ ଜୀବନରେ ଆସିଥିଲା ଝଡ଼। ଏଥିପାଇଁ ରଜିତା ସ୍ୱାମୀ ମେରୁଗୁଙ୍କୁ ଛାଡ଼ି ଦୁଇ ପିଲାଙ୍କ ସହ ନିଜ ବାପ ଘରକୁ ଚାଲି ଯାଇଥିଲେ। ସେଠାରେ ରହୁଥିବା ବେଳେ ମେରୁଗୁ ବିଭିନ୍ନ ସମୟରେ ନିଜ ପିଲାଙ୍କୁ ଭେଟିବାକୁ ସେଠାକୁ ଯାଉଥିଲେ। ରବିବାର ସକାଳେ ମେରୁଗୁ ପିଲାଙ୍କୁ ଭେଟିବାକୁ ସେଠାରେ ପହଞ୍ଚିଥିଲେ। ପିଲାଙ୍କ  ସହ କିଛି ସମୟ ବିତାଇଥିଲେ। ପରେ  କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା।

ପରେ ରଜିତା ୬ ବର୍ଷର ଝିଅକୁ ଧରି ଅନ୍ୟତ୍ର ଚାଲି ଯାଇଥିଲେ। ଘରୁ ବାହାରି ସେ ଗାଁ ନିକଟରେ ଥିବା ଗୋଟିଏ କୂଅ ପାଖରେ ପହଞ୍ଚି ଯାଇଥିଲେ। ସେଠାରେ ସେ ଅଣ୍ଟାରେ ୬ ବର୍ଷର ଝିଅକୁ ବାନ୍ଧି ଦେଇଥିଲେ। ଏହାପରେ ସିଧା ସଳଖ କୂଅକୁ ଡେଇଁ ପଡ଼ିଥିଲେ। ଝିଅ ସହ ଜୀବନ ହାରିବା ପୂର୍ବରୁ ସେ ତାଙ୍କ ଭଉଣୀଙ୍କୁ ମଧ୍ୟ ଫୋନ କରିଥିଲେ। ଫୋନରେ ସେ ଭଉଣୀଙ୍କୁ ଆତ୍ମହତ୍ୟା କରିବାକୁ ଯାଉଥିବା ମଧ୍ୟ ଜଣାଇଥିଲେ। ଭଉଣୀ କିଛି କ୍ଷଣ ପାଇଁ ତାଙ୍କୁ ବୁଝାସୁଝା କରିଥିଲେ ହେଁ ରଜିତା କିଛି ବି ଶୁଣି ନଥିଲେ। ଭଉଣୀଙ୍କ ଠାରୁ ଖବର ପାଇ ପୁଲିସ୍‌ କୂଅ ଭିତରୁ ରଜିତା ଓ ଅକ୍ଷିତାଙ୍କ ମୃତଦେହ ଉଦ୍ଧାର କରିଛି ।