ଗୋଳାବନ୍ଧ ବିସ୍ଥାପିତ ୧୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗୋଳାବନ୍ଧରୁ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧରୁ ବିସ୍ଥାପିତ ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ର ଶୁଭାରମ୍ଭ କରିଛନ୍ତି, ଯାହା ଦଶନ୍ଧି ଧରି ପୁନର୍ବାସ ପାଇଁ ଅପେକ୍ଷାରେ ଥିବା ଗୋଳାବନ୍ଧ ବିସ୍ଥାପିତଙ୍କ ଅପେକ୍ଷାର ଅନ୍ତ ଘଟାଇଛି।

ଗୋଳାବନ୍ଧରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପ୍ୟାକେଜ ଘୋଷଣା କରାଯାଇଥିଲା। ଯେଉଁଠାରେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ଛେଲିଗଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ୧୧୨ଟି ପରିବାର ମଧ୍ୟରୁ ୯୬ଟି ପରିବାରକୁ ଜମି ଏବଂ ଘର ପଟ୍ଟା ବଣ୍ଟନ କରିଥିଲେ। ମଞ୍ଚରେ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିବା ପୂର୍ବରୁ ଗୋଳାବନ୍ଧର ମହିଳାମାନେ ଶ୍ରୀ ମାଝୀଙ୍କୁ ରାକ୍ଷୀ ବାନ୍ଧି ସ୍ୱାଗତ କରିଥିଲେ।

ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୮୪ ମସିହାରେ ଆର୍ମି ଏୟାର ଡିଫେନ୍ସ କଲେଜ ପାଇଁ ଜମି ହସ୍ତାନ୍ତର ପରେ ଗୋଳାବନ୍ଧର ବିସ୍ଥାପିତ ବାସିନ୍ଦାଙ୍କ ଦୁର୍ଦ୍ଦଶା ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସମାଧାନ ହୋଇନାହିଁ। ସେ କହିଛନ୍ତି ଯେ ତାଙ୍କ ସରକାର ଏହି ପ୍ରସଙ୍ଗକୁ ପ୍ରାଥମିକତା ଦେଇଛି ଏବଂ ପ୍ରଭାବିତ ପରିବାରକୁ ସ୍ଥାୟୀ ପୁନର୍ବାସ ଏବଂ ସୁରକ୍ଷିତ ଅଧିକାର ପ୍ରଦାନ କରିବା ପାଇଁ କାର୍ଯ୍ୟ କରୁଛି। ସ୍ୱତନ୍ତ୍ର ପ୍ୟାକେଜ ଅଧୀନରେ, ଆର୍ଥିକ ସ୍ୱାବଲମ୍ବନକୁ ସମର୍ଥନ କରିବା ପାଇଁ ୧,୩୭୧ ଯୋଗ୍ୟ ପରିବାରର ପ୍ରତ୍ୟେକଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (DBT) ମାଧ୍ୟମରେ ୫ ଲକ୍ଷ ଟଙ୍କାର ଏକକାଳୀନ ସହାୟତା ମିଳିବ। ଏହି ଅଂଶ ପାଇଁ ମୋଟ ଆବଣ୍ଟନ ୬୮.୫୫ କୋଟି ଟଙ୍କା ।

ଗୃହ ସହାୟତା ପାଇଁ ଆଉ ୪.୨୫ କୋଟି ଟଙ୍କା ରଖାଯାଇଛି। ଏହି ରାଶି ୯୯୮ଟି ଅସମ୍ପୂର୍ଣ୍ଣ ଘର ସମ୍ପୂର୍ଣ୍ଣ କରିବା ଏବଂ ୧୦ଟି ନୂତନ ଘର ନିର୍ମାଣ କରିବା ପାଇଁ ବ୍ୟବହୃତ ହେବ। ଏହା ବ୍ୟତୀତ ନୂଆ କୀର୍ତ୍ତିପୁର କଲୋନୀର ରାସ୍ତା, ଷ୍ଟ୍ରିଟ୍ ଲାଇଟ୍, ଅଙ୍ଗନବାଡ଼ି, ମାର୍କେଟ କମ୍ପ୍ଲେକ୍ସ, ପବ୍ଲିକ୍ ଟଏଲେଟ୍, ବାତ୍ୟା ଆଶ୍ରୟସ୍ଥଳୀ ଓ ମାଛଧରା ଡଙ୍ଗା ରଖିବା ପାଇଁ ବେଳାଭୂମି ସମତୁଲକରଣ ଭଳି ଭିତ୍ତିଭୂମି ବିକାଶ ପାଇଁ ୨.୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତଙ୍କୁ ଦିଗପହଣ୍ଡିର ସାନ୍ତରାପୁରଠାରେ ଥଇଥାନ କରାଯାଇ ୧୧୨ ପରିବାରକୁ ୧୦ ଡିସିମିଲ୍ ଘରବାରି ଓ ୨ ଏକର ଲେଖାଏଁ ଚାଷଜମି ଯୋଗାଇ ଦିଆଯାଉଛି। ଆଜି ଏମାନଙ୍କ ମଧ୍ୟରୁ ୯୬ ପରିବାରକୁ ପଟ୍ଟା ଦିଆଗଲା। ଅନ୍ୟ ସମସ୍ତଙ୍କୁ ଖୁବ୍ ଶିଘ୍ର ପଟ୍ଟା ଦିଆଯିବ।