ମାକୁ ମାରି ରୋଷେଇ ଘରେ ପୋତିଦେଲା ପୁଅ, ଦୁର୍ଗନ୍ଧ ବାହାରିବା ପରେ…

ପୁରୀର କୁମ୍ଭାରପଡ଼ା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ପୋଲିସ୍ ଏକ ଭଡ଼ା ଘରର ରୋଷେଇ ଘର ଚଟାଣ ତଳୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ମହିଳାଙ୍କ ପୁଅ ତାଙ୍କୁ ହତ୍ୟା କରି ମୃତଦେହକୁ ପୋତି ଦେଇଥିଲା ଏବଂ ଚଟାଣକୁ ପ୍ଲାଷ୍ଟର କରି ଦେଇଥିଲା। ମୃତଦେହଟି ପ୍ରାୟ ଚାରି ଦିନ ପୁରୁଣା ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରୁ ଏକ ଛୁରୀ ମଧ୍ୟ ଜବତ କରାଯାଇଛି।

ଭଡ଼ା ଘରର ରୋଷେଇ ଘରୁ ତୀବ୍ର ଦୁର୍ଗନ୍ଧ ବାହାରିବା ପରେ ସୋମବାର ଦିନ ଏହି ଘଟଣା ସାମ୍ନାକୁ ଆସିଥିଲା। ଘର ମାଲିକାଣୀ ମନୋରମା ସାହୁ ପୋଲିସକୁ ଜଣାଇଥିଲେ ଯେ ଜଣେ ମହିଳା ଓ ତାଙ୍କ ପୁଅ ପ୍ରାୟ ଦୁଇ ମାସ ଧରି ସେଠାରେ ଭଡ଼ାରେ ରହୁଥିଲେ। ଗତ କିଛି ଦିନ ଧରି ମହିଳାଙ୍କୁ ଦେଖିବାକୁ ମିଳିନଥିଲା । ଅନ୍ୟପକ୍ଷରେ ତାଙ୍କ ପୁଅ ରବିବାର ଠାରୁ ନିଖୋଜ ଥିବା ଅଭିଯୋଗ ହୋଇଛି।

ରୋଷେଇ ଘର ଚଟାଣ ଦେଇ ଅପରିଷ୍କାର ପାଣି ବାହାରିବା ଏବଂ ଦୁର୍ଗନ୍ଧ ବଢ଼ିବା ପରେ ସନ୍ଦେହ ବଢ଼ିଥିଲା। ପଡ଼ୋଶୀ ଓ ଘର ମାଲିକାଣୀ ସନ୍ଦେହ କରିଥିଲେ ଯେ ପ୍ଲାଷ୍ଟର କରାଯାଇଥିବା ଚଟାଣ ତଳେ କୌଣସି ମୃତଦେହ ଲୁଚାଇ ରଖାଯାଇଥାଇପାରେ। ଅଭିଯୋଗ ପାଇବା ପରେ କୁମ୍ଭାରପଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ଦିନ ପୋଲିସ୍ ରୋଷେଇ ଘରର ଚଟାଣ ଖୋଳି ସେହି ଗଳିତ ମୃତଦେହ ଉଦ୍ଧାର କରିଥିଲା। ଫେରାର ଥିବା ଅଭିଯୁକ୍ତକୁ ଖୋଜି ବାହାର କରିବା ଓ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି।