ଖରସ୍ରୋତା ନଦୀରେ ବ୍ୟକ୍ତିଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ଅଞ୍ଚଳରେ ମଙ୍ଗଳବାର ସକାଳେ ଡଙ୍ଗାରେ ଚଢ଼ୁଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଖରସ୍ରୋତା ନଦୀ ଭିତରକୁ ଟାଣି ନେଲା କୁମ୍ଭୀର। ନିଖୋଜ ବ୍ୟକ୍ତି ଜଣକ ତ୍ରୈଲୋକ୍ୟପୁର ପଞ୍ଚାୟତର ପରେଶ୍ୱର ବେହେରା ବୋଲି ଚିହ୍ନଟ କରାଯାଇଛି।
ସୂଚନା ଅନୁଯାୟୀ, ପରେଶ୍ୱର ଘରୁ ବାହାରି ଆୟତନ ବଜାରକୁ ରାସନ ସାମଗ୍ରୀ କିଣିବାକୁ ଯାଉଥିଲେ। ସେ ଡଙ୍ଗା ସାହାଯ୍ୟରେ ଖରସ୍ରୋତା ନଦୀ ପାର ହେବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ଏକ କୁମ୍ଭୀର ତାଙ୍କ ଉପରେ ଆକ୍ରମଣ କରି ନଦୀ ଭିତରକୁ ଟାଣି ନେଇଥିଲା।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ନଦୀରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଶେଷ ଖବର ମିଳିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ନଦୀରେ କୁମ୍ଭୀରଙ୍କ ଉପସ୍ଥିତିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି।