ଆସାମର ଗୌହାଟୀରେ ହୋଟେଲ ଭିତରେ ଆଖିବୁଜା ଗୁଳିମାଡ଼। ଗୁଳିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ୪ ଜଣ ଗୋଟିଏ ପରିବାରର ବୋଲି ପୁଲିସ ସୂଚନା ଦେଇଛି। ଖବର ଅନୁସାୟୀ, ସୋମବାର ରାତି ପ୍ରାୟ ୯ଟା ସମୟରେ ଗୌହାଟୀର ବୋରା ସର୍ଭିସ୍ ଅଞ୍ଚଳରେ ଥିବା ହୋଟେଲ ବିଲାସ ଇନ୍ରେ ଗୁଳିକାଣ୍ଡ ଘଟିଥିଲା । ଗୁଳିମାଡ଼ରେ ମୋଟ ୬ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଘଟଣା ସମ୍ପର୍କରେ ଖବର ପାଇ ଗୌହାଟୀ ପୁଲିସର ବରିଷ୍ଠ ଅଧିକାରୀ ଓ ଏକାଧିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁଳିମାଡ଼ରେ ଆହତଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଥିଲା। ଅନ୍ୟପଟେ, ଘଟଣାସ୍ଥଳରେ ତଦନ୍ତ କରିବା ସହ ପୁଲିସ ଗୁଳିକାଣ୍ଡରେ ବ୍ୟବହୃତ ଅସ୍ତ୍ରକୁ ଜବତ କରିଛି ।
ପୁଲିସ କମିସନରଙ୍କ କହିବା ଅନୁସାରେ, ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ହୋଟେଲ ମାଲିକଙ୍କ ପରିବାରର । ଅନ୍ୟ ଜଣେ ମୃତକ ସେହି ପରିବାରର ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି । ଆହତ ବ୍ୟକ୍ତି ମଧ୍ୟ ସେହି ଗାଁର ବୋଲି ସୂଚନା ମିଳିଛି ।