ଓଡ଼ିଶା ମହିଳା ପର୍ବତାରୋହୀ ଦଳକୁ ଭେଟିଲେ ରାଜ୍ୟପାଳ । ହିମାଚଳ ପ୍ରଦେଶର 6,111 ମିଟର ଉଚ୍ଚ ମାଉଣ୍ଟ ୟୁନାମକୁ ସଫଳତାର ସହିତ ଆରୋହଣ କରିଥିବା, ଓଡ଼ିଶା ମହିଳା ପର୍ବତାରୋହୀ ଦଳକୁ ସୋମବାର ଲୋକଭବନରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତିଙ୍କୁ ଭେଟିଥିଲେ। ପର୍ବତାରୋହୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ ରାଜ୍ୟପାଳ ଏବଂ ଦଳର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଏହି ଅଭିଯାନ ସମୟରେ ସେମାନେ ସମ୍ମୁଖୀନ ହୋଇଥିବା ଚ୍ୟାଲେଞ୍ଜ ଏବଂ ଅଭିଜ୍ଞତା ବିଷୟରେ ମଧ୍ୟ ଶୁଣିଥିଲେ।

ଅଭିଯାନରେ ଅଂଶଗ୍ରହଣ କରିଥିବା ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ପାଞ୍ଚ ଜଣ ସଫଳତାର ସହ ମାଉଣ୍ଟ ୟୁନାମର ଶିଖରରେ ପହଞ୍ଚିଥିଲେ । ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଛଅ ଜଣ ପର୍ବତାରୋହୀଙ୍କୁ ମଝି ରାସ୍ତାରେ ଫେରିବାକୁ ପଡିଥିଲା । ରାଜ୍ୟପାଳ କହିଛନ୍ତି ଯେ ଦଳର ସଫଳତା ଓଡ଼ିଶା ପାଇଁ ଗର୍ବ ଏବଂ ସମ୍ମାନର ବିଷୟ। ସେ ଆଶା ପ୍ରକାଶ କରିଥିଲେ ଯେ ସେମାନଙ୍କ ସଫଳତା ରାଜ୍ୟର ଅଧିକ ମହିଳାଙ୍କୁ ପର୍ବତାରୋହଣ ଏବଂ ଅନ୍ୟାନ୍ୟ ଦୁଃସାହସିକ କ୍ରୀଡ଼ା ଗ୍ରହଣ କରିବାକୁ ପ୍ରେରଣା ଦେବ। ପର୍ବତାରୋହୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଦୃଢ଼ ନିଷ୍ପତ୍ତି, ସାହସ ଏବଂ ଉତ୍ସାହକୁ ପ୍ରଶଂସା କରି ରାଜ୍ୟପାଳ ସେମାନଙ୍କ ଭବିଷ୍ୟତ ପ୍ରୟାସରେ ସଫଳତା କାମନା କରିଥିଲେ।

ଆଲୋଚନା ସମୟରେ ଆସୋସିଏସନ ଫର୍ ଆଡଭେଞ୍ଚର ଆଣ୍ଡ ସୋସିଆଲ ଆକ୍ଟିଭିଟିଜ୍ (AASA)ର ଉପାଧ୍ୟକ୍ଷ ହରେଶ କୁମାର ମିଶ୍ର ଏବଂ ଆସୋସିଏସନର ସମ୍ପାଦକ ଏବଂ ପର୍ବତାରୋହୀ ଗଣେଶ ଚନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ।