ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ ତାଙ୍କ ଦୀର୍ଘଦିନର ପ୍ରେମିକା ଗାବ୍ରିଏଲା ଡେମେଟ୍ରିଆଡେସ୍ଙ୍କୁ ବିବାହ କରିଛନ୍ତି। ଶୁକ୍ରବାର ଦିନ ଗୋଆରେ ଏହି ବିବାହ ପଞ୍ଜୀକୃତ ହୋଇଥିଲା । ଏହି ଦମ୍ପତି ଉତ୍ତର ଗୋଆର ମାପୁସା ସ୍ଥିତ ସବ୍-ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଆଇନଗତ ବିବାହ ପ୍ରକ୍ରିୟା ସମ୍ପନ୍ନ କରିଥିଲେ। ଏହି ଅବସରରେ ତାଙ୍କର ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ।

ଅର୍ଜୁନ ଏବଂ ଗାବ୍ରିଏଲା ୨୦୧୮ ମସିହାରୁ ପ୍ରେମ ସମ୍ପର୍କରେ ଅଛନ୍ତି। ଅଭିନେତା ତାଙ୍କ ପୂର୍ବତନ ପତ୍ନୀ ମେହେର୍ ଜେସିଆଙ୍କ ଠାରୁ ଅଲଗା ହେବା ପରେ ଏହି ସମ୍ପର୍କ ଆରମ୍ଭ ହୋଇଥିଲା। ପ୍ରାୟ ଆଠ ବର୍ଷର ଦୀର୍ଘ ସମ୍ପର୍କ ଏବଂ ଏକାଠି ରହିବା ପରେ, ଅର୍ଜୁନ ଏବଂ ଗାବ୍ରିଏଲା ଡେମେଟ୍ରିଆଡେସ୍ ବିବାହ ବନ୍ଧନରେ ଆବଦ୍ଧ ହୋଇ ଜୀବନସାଥୀ ହୋଇଛନ୍ତି।

ଅର୍ଜୁନ୍ ଏବଂ ଗାବ୍ରିଏଲା ବର୍ତ୍ତମାନ ଆନୁଷ୍ଠାନିକ ଭାବେ ସ୍ୱାମୀ-ସ୍ତ୍ରୀ ହୋଇସାରିଛନ୍ତି। ତଥାପି, ବିବାହ ପୂର୍ବରୁ ହିଁ ଅର୍ଜୁନ୍ ନିଜ ପ୍ରେମିକା ଗାବ୍ରିଏଲାଙ୍କ ସହ ଲିଭଇନ୍ ରେ ରହୁଥିଲେ । ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ଏହି ଯୋଡ଼ି ଦୁଇଟି ସନ୍ତାନର ପିତାମାତା ହୋଇସାରିଥିଲେ। ସେମାନଙ୍କର ପ୍ରଥମ ପୁଅ, ଆରିକ୍, ୨୦୧୯ ମସିହାରେ ଜନ୍ମ ହୋଇଥିଲା । ଯାହା ସେମାନଙ୍କ ବିବାହର ସାତ ବର୍ଷ ପୂର୍ବର ଘଟଣା। ଏହାର ଚାରି ବର୍ଷ ପରେ ସେମାନଙ୍କର ଦ୍ୱିତୀୟ ପୁଅ, ଆରିଭ୍ର ଜନ୍ମ ହୋଇଥିଲା। ୨୦୨୫ ମସିହାରେ ଅର୍ଜୁନ ଗାବ୍ରିଏଲାଙ୍କ ସହ ନିଜର ନିର୍ବନ୍ଧ ବିଷୟରେ ଘୋଷଣା କରିଥିଲେ।

ଅର୍ଜୁନ୍ ରାମପାଲ ଏବଂ ଗାବ୍ରିଏଲାଙ୍କ ମଧ୍ୟରେ ବୟସର ଏକ ବଡ଼ ପାର୍ଥକ୍ୟ ରହିଛି। ଅର୍ଜୁନ୍ ରାମ୍ପାଲ୍ଙ୍କ ବୟସ ୫୩ ବର୍ଷ ହୋଇଥିବାବେଳେ ତାଙ୍କ ସାଥୀ ଗାବ୍ରିଏଲାଙ୍କ ବୟସ ୩୯ ବର୍ଷ। ଗାବ୍ରିଏଲା ଏହି ଅଭିନେତାଙ୍କ ଠାରୁ ପ୍ରାୟ ୧୫ ବର୍ଷ ସାନ, ତଥାପି ଏହି ବୟସଗତ ପାର୍ଥକ୍ୟ କେବେବି ସେମାନଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିନାହିଁ।