ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆଘାଟି ନିକଟରେ ଭୂସ୍ଖଳନ ହୋଇଛି । ଘାଟିରୁ ବଡ଼ ବଡ଼ ପଥର ଓ ମାଟି ଖସି ରାସ୍ତା ଉପରେ ପଡ଼ିବାରୁ ଯାତାୟାତ ପ୍ରଭାବିତ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଏନଏଚଏଆଇ ପକ୍ଷରୁ ରାସ୍ତାର ଗୋଟିଏ ପଟକୁ ବନ୍ଦ କରାଯାଇଛି । ଅନ୍ୟ ପଟରେ ଉଭୟ ଦିଗର ଗାଡ଼ି ଚଳାଚଳ କରୁଛି । ଫଳରେ ରାସ୍ତାରେ ଗାଡ଼ି ଧୀରେ ଧୀରେ ଚାଲୁଥିବା ବେଳେ ଯାତ୍ରୀଙ୍କୁ ସତର୍କତାର ସହ ଯାତାୟାତ କରିବାକୁ କୁହାଯାଇଛି ।

ଶନିବାର କେନ୍ଦୁଝର ସହରରେ ଲଗାଣ ବର୍ଷା ପରେ ଜୁଡିଆ ଘାଟିର ବିଭିନ୍ନ ସ୍ଥାନରେ ପାହାଡ଼ରୁ ପଥର ଖସିଥିଲା । ଫଳରେ ରାଜପଥର ଗୋଟିଏ ପାର୍ଶ୍ୱରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଗୋଟିଏ ପାର୍ଶ୍ୱରେ ଯାନବାହନ ଚଳାଚଳ କରୁଥିବାରୁ ଉଭୟ ଦିଗର ଯାତାୟାତକୁ ନେଇ ସମସ୍ୟା ସୃଷ୍ଟି ହେଉଛି । ସବୁଠାରୁ ବଡ଼ କଥା ହେଉଛି, ଘଟଣାକୁ ପ୍ରାୟ ୧୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ରାସ୍ତାରୁ ପଥର ଓ ମାଟି ସଫେଇ କାମ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହୋଇଛି । ଲଗାଣ ବର୍ଷା ଜାରି ରହିଥିବାରୁ ଜୁଡିଆ ଘାଟିରେ ପୁଣି ପଥର ଖସିବାର ଆଶଙ୍କା ମଧ୍ୟ ରହିଛି । ଏଭଳି ସ୍ଥିତିରେ ରାଜପଥରେ ଯାତାୟାତ କରୁଥିବା ଗାଡ଼ି ଚାଳକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ତେବେ ରାସ୍ତାରୁ ଶୀଘ୍ର ପଥର ଓ ମାଟି ସଫା କରି ଯାତାୟାତକୁ ସ୍ୱାଭାବିକ କରିବା ସହ ଜୁଡିଆ ଘାଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି ହୋଇଛି ।
