ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମର ଠାକୁରାଣୀ ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ଉପସଭାପତି ସୁନାରାମ ସାବତଙ୍କ ନେତୃତ୍ବରେ କଂଗ୍ରେସ କର୍ମିଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା. ଏଥିରେ ଭୋଟର ତାଲିକାକୁ ତ୍ରୁଟିମୁକ୍ତ, ସଠିକ୍ ରଖିବା ଦିଗରେ BLA-2 ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ମୃତକ, ସ୍ଥାୟୀ ଭାବେ ଅନ୍ୟତ୍ର ଚାଲିଯାଇଥିବା କିମ୍ବା ଡୁପ୍ଲିକେଟ୍ ଭୋଟରଙ୍କ ନାମ ବାଦ ପ୍ରକ୍ରିୟାରେ BLOଙ୍କୁ ସହଯୋଗ କରିବା ନେଇ ଆଲୋଚନା ହୋଇଛି। ୧୮ ବର୍ଷ ବୟସ ପୂରଣ କରିଥିବା ଯୁବକ-ଯୁବତୀଙ୍କୁ ଚିହ୍ନଟ କରି Form-6 ମାଧ୍ୟମରେ ନୂତନ ଭୋଟର ଭାବେ ପଞ୍ଜୀକରଣ କରାଇବା, ଆବଶ୍ୟକ ବୟସ ଓ ବାସସ୍ଥାନ ସମ୍ପର୍କିତ ଦଲିଲ ଯାଞ୍ଚରେ ସହଯୋଗ କରିବା BLA-2ଙ୍କ ଦାୟିତ୍ୱ ରହିଛି।
ସେହିପରି ଭୋଟରଙ୍କ ନାମ, ବାପା/ସ୍ୱାମୀଙ୍କ ନାମ, ବୟସ, ଲିଙ୍ଗ କିମ୍ବା ଠିକଣାରେ ତ୍ରୁଟି ଥିଲେ Form-8 ମାଧ୍ୟମରେ ସଂଶୋଧନ ପାଇଁ ସହଯୋଗ କରିବା ଏବଂ ମୃତକ କିମ୍ବା ଡୁପ୍ଲିକେଟ୍ ଭୋଟରଙ୍କ ନାମ ବାଦ ପାଇଁ Form-7 ପ୍ରକ୍ରିୟାରେ BLOଙ୍କୁ ସହଯୋଗ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ, ପ୍ରେମଲତା ସାହୁ, ବବି ଅନନ୍ତନାରାୟଣ ରଥ, ବରିଷ୍ଠ କଂଗ୍ରେସ ନେତା ମନମଦନ ସାହୁ, ପିସିସି ସଭ୍ୟ ପଦ୍ମ ସାହୁ, ଭଞ୍ଜନଗର ନଗର ସଭାପତି ପ୍ରମୋଦ କୁମାର ଭୂୟାଁ, ଶେରଗଡ଼ ବ୍ଲକ ସଭାପତି ସୁକାନ୍ତ କୁମାର ବିଶୋଇ ଓ ହିଞ୍ଜିଳି ବ୍ଲକ ସଭାପତି ଭଗବାନ ସାହୁ, ନଗର ସଭାପତି ଶିବରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଭୋଟର ତାଲିକା ସମ୍ପର୍କିତ କାର୍ଯ୍ୟରେ ନିୟମ ଅନୁସାରେ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବାକୁ ମଧ୍ୟ ଆଲୋଚନା ହୋଇଥିଲା।