ଭାରତ ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT), ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ‘TEJAS’ (Transforming Entrepreneurial Journeys Across States & Districts) ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଆଜି ସେଞ୍ଚୁରୀୟନ୍ ବିଶ୍ୱବିଦ୍ୟାଳୟ (CUTM), ଅଡିଟୋରିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଏକଦିବସୀୟ କର୍ମଶାଳାରେ ମାନ୍ୟବର ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ, ପାରଳା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଏନ୍. ବୀରରାଜୁ, ସେଞ୍ଚୁରିଅନ୍ ୟୁନିଭର୍ସିଟିର ଅଧ୍ୟକ୍ଷ ଡି.ଏନ୍. ରାଓ, ଭାଇସ୍ ଚେୟାରମ୍ୟାନ୍ ମୁକ୍ତିକାନ୍ତ ମିଶ୍ର ଏବଂ ପ୍ରଫେସର ଦୁର୍ଗା ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଗଣ କହିଥିଲେ ଯେ, ଗଜପତି ଜିଲ୍ଲାରେ ଉଦ୍ୟୋମିତାର ବିକାଶ, ସ୍ଥାନୀୟ ଦକ୍ଷତାର ପ୍ରୋତ୍ସାହନ, ମେଣ୍ଟରସିପ୍ ସୁବିଧା, ସରକାରୀ ସହାୟତା ଯୋଜନାର ସଦ୍ବ୍ୟବହାର ଏବଂ ବଜାର ସହ ସଂଯୋଗ ସ୍ଥାପନ ମାଧ୍ୟମରେ ଯୁବପିଢ଼ିଙ୍କୁ ନିଯୁକ୍ତି ଅନ୍ୱେଷୀରୁ ନିଯୁକ୍ତି ସୃଷ୍ଟିକାରୀରେ ପରିଣତ କରିବା ହେଉଛି ‘TEJAS’ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଗଜପତିର ଯୁବପିଢ଼ିଙ୍କ ନବପ୍ରବର୍ତ୍ତନ ଓ ସୃଜନଶୀଳ ଚିନ୍ତାଧାରାକୁ ଉପଯୁକ୍ତ ମାର୍ଗଦର୍ଶନ ମିଳିଲେ ସେମାନେ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଥିଲା।
ଏହି ଅବସରରେ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା, ନବପ୍ରବର୍ତ୍ତକ ଓ ବ୍ୟବସାୟ ଆରମ୍ଭ କରିବାକୁ ଇଚ୍ଛୁକ ଯୁବକ-ଯୁବତୀମାନଙ୍କ ପାଇଁ ଉଦ୍ୟୋମିତା ସମ୍ପର୍କିତ ସଚେତନତା, ଦକ୍ଷତା ବିକାଶ, ମେଣ୍ଟରସିପ୍, ନେଟୱାର୍କିଂ ଓ ବଜାର ସଂଯୋଗ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ QR କୋଡ୍ ମାଧ୍ୟମରେ ଅନଲାଇନ୍ ପଞ୍ଜିକରଣର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ଗଜପତି ସମେତ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଯୁବକ-ଯୁବତୀ, ଶିକ୍ଷାବିତ୍, ସଫଳ ଉଦ୍ୟୋଗୀ, ଷ୍ଟାର୍ଟଅପ୍ ପ୍ରତିନିଧି, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ୟୋଗୀତାର ବିକାଶ, ନବପ୍ରବର୍ତ୍ତନ, ଷ୍ଟାର୍ଟଅପ୍ ପରିବେଶକୁ ସୁଦୃଢ଼ କରିବା ଏବଂ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ ଓ ରୋଜଗାର ସୃଷ୍ଟିକାରୀ ଭାବେ ଗଢ଼ି ତୋଳିବା ଦିଗରେ ଆଲୋଚନା କରିଥିଲେ। ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ ଯେ, ‘TEJAS’ କାର୍ଯ୍ୟକ୍ରମ ଗଜପତି ଜିଲ୍ଲାରେ ଉଦ୍ୟୋଗୀତାର ପ୍ରସାର, ନୂତନ ଷ୍ଟାର୍ଟଅପ୍ ସୃଷ୍ଟି ଏବଂ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ ତଥା ରୋଜଗାର ସୃଷ୍ଟିକାରୀ ଭାବେ ଗଢ଼ି ତୋଳିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।