ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ବା ଟିଏମସି ପାଇଁ ବଡ଼ ଅଡ଼ୁଆ। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଥାତ୍ ଇଡି ଗ୍ରହଣ କରିଛି ଏକ ବଡ଼ କାର୍ଯ୍ୟାନୁଷ୍ଠାନ। ଦଳର ୩ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଛି ଇଡି, ଯେଉଁଥିରେ ଜମା ଥିଲା ପ୍ରାୟ ୪୪୦ କୋଟି ଟଙ୍କା। ଇଡିର ସାଂଘାତିକ ଦାବି—ପାର୍ଟି ପାଣ୍ଠିର କୋଟି କୋଟି ଟଙ୍କା ବ୍ୟବହାର କରି ଦଳ ପାଇଁ ଏକ ବିଳାସପୂର୍ଣ୍ଣ ବ୍ୟବସାୟିକ ଜେଟ୍ ଏବଂ ଭିଆଇପି ହେଲିକପ୍ଟର କିଣାଯାଇଥିଲା। ଭାରତୀୟ ରାଜନୀତି ଇତିହାସରେ ଏହା ପ୍ରଥମ ଥର, ଯେତେବେଳେ ଇଡି ସ୍ୱାଧୀନ ଭାବେ ଏକ ପ୍ରମୁଖ ରାଜନୈତିକ ଦଳର ପାଣ୍ଠି ଉପରେ ଏଭଳି ମନି ଲଣ୍ଡରିଂ ତଦନ୍ତ କରୁଛି। ପୂର୍ବରୁ କେବଳ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦ୍ମୀ ପାର୍ଟିର ଆକାଉଣ୍ଟ ଯାଞ୍ଚ ହୋଇଥିଲା।

କୋଲକାତାର ଏକ ବିମାନ ପରିଚାଳନା କମ୍ପାନୀ ‘କେୟାରୱେଲ୍ ଆଭିଏସନ୍’ ଉପରେ ଚଢ଼ାଉ ପରେ ଏହି ପୂରା ରହସ୍ୟ ଉପରୁ ପରଦା ହଟିଛି। ମମତା ବାନାର୍ଜୀ ୨୦୨୧ରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଏହି କମ୍ପାନୀ ଗଠନ ହୋଇଥିଲା। ଇଡିର ରିପୋର୍ଟ ଅନୁସାରେ, ଏପ୍ରିଲ ୨୦୨୩ରୁ ଜୁନ୍ ୨୦୨୬ ମଧ୍ୟରେ ଟିଏମସି ଆକାଉଣ୍ଟରୁ ପ୍ରାୟ ୧୬୦ କୋଟି ଟଙ୍କା ଏହି କମ୍ପାନୀକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ଏହି ଟଙ୍କାରେ କମ୍ପାନୀ ୧୧୨ କୋଟି ଟଙ୍କା ବ୍ୟୟ କରି ବ୍ରାଜିଲ୍ ନିର୍ମିତ ଏକ ‘ଏମ୍ବ୍ରାର ଲିଗାସି ୬୦୦’ ବ୍ୟବସାୟିକ ଜେଟ୍ ଏବଂ ଇଟାଲୀ ନିର୍ମିତ ‘ଅଗଷ୍ଟା ୧୦୯ ଏସପି’ ଭିଆଇପି ହେଲିକପ୍ଟର କିଣିଥିଲା।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ନିଜ ପାଣ୍ଠିରେ କିଣାଯାଇଥିବା ଏହି ବିମାନଗୁଡ଼ିକୁ ପରେ ଚାର୍ଟର ସେବା ଆଳରେ ଟିଏମସି ନିଜେ ଭଡ଼ାରେ ନେଉଥିଲା ଏବଂ କମ୍ପାନୀକୁ ଟଙ୍କା ପେମେଣ୍ଟ କରୁଥିଲା। ଏପରିକି ଏହି ହେଲିକପ୍ଟର କିଣିବା ପାଇଁ ବ୍ୟାଙ୍କ ଟ୍ୟାକ୍ସ ଏଭଏଡ୍ କରୁଥିବା କେମ୍ୟାନ୍ ଦ୍ୱୀପପୁଞ୍ଚର ଏକ କମ୍ପାନୀରୁ ୧୬ କୋଟିରୁ ଅଧିକ ଟଙ୍କାର ଅସୁରକ୍ଷିତ ଋଣ ମଧ୍ୟ ଅଣାଯାଇଥିଲା। ଏବେ ଏହି ବିଦେଶୀ ପାଣ୍ଠିର ପ୍ରକୃତ ଉତ୍ସ ଖୋଜୁଛି ଇଡି।