SCB ଅଗ୍ନିକାଣ୍ଡ ନେଇ ସରକାରକୁ ନବୀନଙ୍କ ଆକ୍ରମଣ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

Bhubaneswar: ନବୀନ ପଟ୍ଟନାୟକ କଟକର SCBରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଗତକାଲି ସେ କଟକ ଯାଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଏବଂ ଆଜି ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଅଗ୍ନିକାଣ୍ଡ କେବଳ ଏକ ଦୁଃଖଦ ଘଟଣା ନୁହେଁ, ବରଂ ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟ ସଂସ୍ଥାରେ ସୁରକ୍ଷା ବ୍ୟବସ୍ଥାର ଗଭୀର ଅବ୍ୟବସ୍ଥାକୁ ପ୍ରକାଶ କରୁଛି। ସୋମବାର ଭୋର ସମୟରେ ଟ୍ରମା କେୟାର ICUରେ ଲାଗିଥିବା ଅଗ୍ନିକାଣ୍ଡରେ ୧୧ଟି ମୂଲ୍ୟବାନ ଜୀବନ ନଷ୍ଟ ହୋଇଥିବା ସୂଚନା ମିଳିଛି।

ରୋଗୀମାନେ ସୁସ୍ଥ ହେବା ଆଶାରେ ଡାକ୍ତରଖାନାକୁ ଆସିଥିଲେ, କିନ୍ତୁ ପ୍ରଶାସନିକ ଅବହେଳାରୁ ସେମାନଙ୍କୁ ଭୟାବହ ପରିଣାମ ସମ୍ମୁଖୀନ ହେବାକୁ ପଡ଼ିଲା। ଏହି ଦୁଃଖଦ ଘଟଣା ପାଇଁ ସେ ଶୋକସନ୍ତପ୍ତ ପରିବାରମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ସେ ଆହୁରି କହିଛନ୍ତି ଯେ, କେବଳ ‘ତଦନ୍ତ’ ନାମରେ ଦାୟିତ୍ୱ ଟାଳି ହେବ ନାହିଁ। ବିଚାର ବିଭାଗୀୟ ତଦନ୍ତ ସ୍ୱାଗତଯୋଗ୍ୟ ହେଉଥିବା ସତ୍ତ୍ୱେ ଏହା ରାଜନୈତିକ ନେତୃତ୍ୱକୁ ଦାୟିତ୍ୱରୁ ମୁକ୍ତ କରିପାରିବ ନାହିଁ।

ଏହା ସହିତ ସେ ମୁକେଶ ମାହାଲିଙ୍ଗ ତୁରନ୍ତ ଇସ୍ତଫା ଦାବି କରି କହିଛନ୍ତି ଯେ, ସୁରକ୍ଷା ବ୍ୟବସ୍ଥାର ଏପରି ଗୁରୁତର ତ୍ରୁଟି ପାଇଁ ସେ ନୈତିକ ଦାୟିତ୍ୱ ନେବା ଉଚିତ୍। ସେହିପରି, ବର୍ତ୍ତମାନ ଘୋଷିତ ଅନୁକମ୍ପା ରାଶିକୁ ଅପର୍ଯ୍ୟାପ୍ତ ବୋଲି କହି ନବୀନ ନବୀନ ପଟ୍ଟନାୟକ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୫୦ ଲକ୍ଷ ଟଙ୍କା ଅର୍ଥ ସହାୟତା ଦେବା ପାଇଁ ବିଧାନସଭାରେ ଦାବି କରିଥିବା କଥା ଉଲ୍ଲେଖ କରିଛନ୍ତି।