ମୁମ୍ବାଇ: ଟ୍ବେଣ୍ଟି-ଟ୍ବେଣ୍ଟି ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲରେ ଟିମ୍ ଇଣ୍ଡିଆ ଦମଦାର ବ୍ୟାଟିଂ କରି ବଡ଼ ସ୍କୋର ତିଆରି କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ଟି ୱିକେଟ ହରାଇ ୨୫୩ ରନ୍ ସଂଗ୍ରହ କରିଛି। ଏହା ସହିତ ଇଂଲଣ୍ଡ ସମ୍ମୁଖରେ ଜିତିବା ପାଇଁ ୨୫୪ ରନ୍ର ବଡ଼ ଟାର୍ଗେଟ୍ ରଖାଯାଇଛି। ଫାଇନାଲକୁ ପହଞ୍ଚିବାକୁ ହେଲେ ଇଂଲଣ୍ଡ ଦଳକୁ ବିପୁଳ ପରିଶ୍ରମ କରିବାକୁ ପଡିବ। ଭାରତ ପକ୍ଷରୁ ଓପନର ସଞ୍ଜୁ ସାମସନ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସେ ମାତ୍ର ୪୨ଟି ବଲରେ ୮ଟି ଚୌକା ଓ ୭ଟି ଛକା ସହ ୮୯ ରନ୍ର ଦମଦାର ପାରି ଖେଳିଥିଲେ। ତେବେ ଅନ୍ୟପଟେ ଅଭିଷେକ ଶର୍ମା ୯ ରନ୍ କରି ସସ୍ତାରେ ଆଉଟ ହୋଇଥିଲେ।
ଇଶାନ କିଶନ ଦ୍ରୁତ ଗତିରେ ବ୍ୟାଟିଂ କରି ୧୮ଟି ବଲରୁ ୩୯ ରନ୍ କରିଥିଲେ। ଶିବମ ଦୁବେ ମଧ୍ୟ ଆକର୍ଷଣୀୟ ପାରି ଖେଳି ୨୫ଟି ବଲରେ ୪୩ ରନ୍ ସଂଗ୍ରହ କରିଥିଲେ। ଅନ୍ୟପଟେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୧ ରନ୍ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୨ଟି ବଲରେ ୨୭ ରନ୍ କରି ଦଳର ସ୍କୋର ବଢ଼ାଇଥିଲେ। ତିଲକ ବର୍ମା ମାତ୍ର ୭ଟି ବଲରେ ୨୧ ରନ୍ କରି ଦଳକୁ ଶକ୍ତିଶାଳୀ ସମାପ୍ତି ଦେଇଥିଲେ। ଶେଷରେ ଅକ୍ଷର ପଟେଲ ୨ ରନ୍ ଏବଂ ବରୁଣ ଚକ୍ରବର୍ତ୍ତୀ ୦ ରନ୍ କରି ନଟ୍ଆଉଟ ରହିଥିଲେ। ଭାରତୀୟ ବ୍ୟାଟରମାନଙ୍କ ଏହି ଆକ୍ରମଣାତ୍ମକ ପ୍ରଦର୍ଶନ ଫଳରେ ଇଂଲଣ୍ଡ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ଖଡ଼ା ହୋଇଛି। ଏବେ ଦେଖିବାକୁ ରହିଲା ଇଂଲଣ୍ଡ ଦଳ ଏହି ବଡ଼ ଟାର୍ଗେଟ୍ କେମିତି ଚେସ୍ କରିପାରେ।