ମାର୍ଚ୍ଚ ୩ରେ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଦେଖାଯିବ ‘ବ୍ଲଡ୍ ମୁନ୍’ ଦୃଶ୍ୟ

ଭୁବନେଶ୍ଵର: ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୩ ତାରିଖରେ ହେବାକୁ ଯାଉଛି। ଏହା ଏହି ବର୍ଷର ଏକମାତ୍ର ଚନ୍ଦ୍ରଗ୍ରହଣ, ଯାହା ଭାରତରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ। ଗ୍ରହଣ ସମୟରେ ଚନ୍ଦ୍ର ଲାଲ ରଙ୍ଗର ଦେଖାଯିବ, ଯାହାକୁ ‘ବ୍ଲଡ୍ ମୁନ୍’ ବୋଲି କୁହାଯାଏ। ଯେତେବେଳେ ଚନ୍ଦ୍ର ପୃଥିବୀର ସମ୍ପୂର୍ଣ୍ଣ ଛାୟାରେ ପ୍ରବେଶ କରେ, ସେତେବେଳେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଘଟେ। ଏହି ସମୟରେ ପୃଥିବୀର ବାୟୁମଣ୍ଡଳ ମାଧ୍ୟମରେ ପ୍ରତିଫଳିତ ହୋଇଥିବା ସୂର୍ଯ୍ୟକିରଣ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥାଏ, ଯାହାର ଫଳରେ ଚନ୍ଦ୍ର ଲାଲ ଦେଖାଯାଏ। ଏହି ଚନ୍ଦ୍ରଗ୍ରହଣ ଭାରତର ଅନେକ ପ୍ରମୁଖ ସହରରେ ଦେଖାଯିବ।

ଏହି ଗ୍ରହଣ ଅପରାହ୍ନ ୩ଟା ୨୦ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୭ ମିନିଟ୍ ପର୍ଯ୍ୟନ୍ତ ରହିବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣର ସୂତକ ସମୟ ସକାଳ ୬ଟା ୨୦ ମିନିଟ୍‌ରୁ, ଅର୍ଥାତ୍ ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ। ପରମ୍ପରା ଅନୁସାରେ ଗ୍ରହଣ ସମୟରେ ଅନେକ ସ୍ଥାନରେ ମନ୍ଦିରର ଦ୍ୱାର ବନ୍ଦ ରହିଥାଏ ଏବଂ ପୂଜାପାଠ ବିରତ ରହେ। ଗ୍ରହଣ ଶେଷ ପରେ ଗଙ୍ଗାଜଳ ଛିଞ୍ଚି ଘର ଓ ମନ୍ଦିର ସଫା କରାଯାଇ ପୁନର୍ବାର ନିୟମିତ ପୂଜାପାଠ ଆରମ୍ଭ ହୁଏ। ଜ୍ୟୋତିଷ ମତାନୁସାରେ ଚନ୍ଦ୍ରଗ୍ରହଣ ମନ ଓ ଭାବନାକୁ ପ୍ରଭାବିତ କରେ। ଏହି ସମୟରେ କେତେକ ଲୋକ ମାନସିକ ଅସ୍ଥିରତା କିମ୍ବା ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି। ତେଣୁ ଗ୍ରହଣ ସମୟରେ ଶାନ୍ତ ରହିବା ଓ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ।