ନୂଆଦିଲ୍ଲୀ: ମହିଳା ଏସିଆ କପ୍ ରାଇଜିଂ ଷ୍ଟାର ୨୦୨୬ର ଫାଇନାଲ ମ୍ୟାଚ୍ରେ ଭାରତ ‘ଏ’ ଦଳ ଚମତ୍କାର ପ୍ରଦର୍ଶନ କରି ବାଂଲାଦେଶ ‘ଏ’କୁ ୪୬ ରନ୍ରେ ପରାସ୍ତ କରି ଟାଇଟଲ୍ ଜିତିଛି। ବ୍ୟାଙ୍କକର ଟେର୍ଡଥାଇ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ‘ଏ’ ଦଳ ୧୩୫ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଟିମ୍ର ଓପନର ବୃନ୍ଦା ଦିନେଶ ଓ ନନ୍ଦିନୀ କଶ୍ୟପ ପ୍ରଥମ ୱିକେଟ୍ ପାଇଁ ୩୦ ରନ୍ର ସହଭାଗୀତା ଗଢ଼ିଥିଲେ। ତେବେ ମଧ୍ୟଭାଗରେ ନିୟମିତ ୱିକେଟ୍ ପତନ ହେବାରୁ ବଡ଼ ସ୍କୋର ହୋଇପାରିନଥିଲା।
ଏହି ମ୍ୟାଚ୍ରେ ତେଜଲ ହସବନିସ ୩୪ ବଲ୍ରୁ ୫୧ ରନ୍ର ଦମଦାର ଇନିଂସ ଖେଳି ଦଳକୁ ମଜବୁତ ସ୍ଥିତିରେ ନେଇଥିଲେ। ଅଧିନାୟକ ରାଧା ଯାଦବ ମଧ୍ୟ ୩୦ ବଲ୍ରୁ ୩୬ ରନ୍ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ବୃନ୍ଦା ଦିନେଶ ୧୭ ବଲ୍ରୁ ୧୯ ରନ୍ କରିଥିଲେ। ଲକ୍ଷ୍ୟ ପିଛା କରି ବାଂଲାଦେଶ ‘ଏ’ ଦଳ ଖରାପ ଆରମ୍ଭ କରିଥିଲା। ଦଳ ୧୨ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା। ପରେ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜ୍ରେ ଦୀର୍ଘ ସମୟ ରହିପାରିନଥିଲେ ଓ ସମୁଦାୟ ଦଳ ୧୯.୧ ଓଭରରେ ୮୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
ବାଂଲାଦେଶ ପକ୍ଷରୁ ଶାମିମା ସୁଲତାନା ୧୬ ବଲ୍ରୁ ୨୦ ରନ୍ କରି ସର୍ବାଧିକ ସ୍କୋର କରିଥିଲେ। ସରମିନ୍ ସୁଲତାନା ୨୯ ବଲ୍ରୁ ୧୮ ରନ୍ର ଯୋଗଦାନ ଦେଇଥିଲେ। ଭାରତ ‘ଏ’ ପକ୍ଷରୁ ପ୍ରେରଣା ରାୱତ ଅତ୍ୟନ୍ତ ଦୃଢ଼ ବୋଲିଂ କରି ୩ଟି ୱିକେଟ୍ ନେଇଥିଲେ (୩/୧୨)। ଏହା ସହିତ ଭାରତ ‘ଏ’ ମହିଳା ଦଳ ଦ୍ୱିତୀୟ ଥର ପାଇଁ ଏସିଆ କପ୍ ରାଇଜିଂ ଷ୍ଟାର ଟାଇଟଲ୍ ଜିତିଛି। ପୂର୍ବରୁ ସେମାନେ ୨୦୨୩ରେ ବାଂଲାଦେଶକୁ ପରାସ୍ତ କରି ପ୍ରଥମ ଟ୍ରଫି ଜିତିଥିଲେ।