ରାଜ୍ୟର ୧୭ ଜିଲ୍ଲାରେ ଆଉ ୨ ଦିନ ଘନ କୁହୁଡ଼ି, ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ ବୋଲି India Meteorological Department ପୂର୍ବାନୁମାନ କରିଛି। ଏନେଇ ୧୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ବାଲେଶ୍ୱର, ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଆଗାମୀ ୨ ଦିନ ଧରି ଘନ କୁହୁଡ଼ି ପରିସ୍ଥିତି ଜାରି ରହିପାରେ ବୋଲି ସୂଚନା ମିଳିଛି।

ପାଣିପାଗ ବିଭାଗ ଲୋକମାନଙ୍କୁ ବିଶେଷକରି ସକାଳ ଓ ରାତି ସମୟରେ ସତର୍କତାର ସହ ଯାତାୟାତ କରିବାକୁ ପରାମର୍ଶ ଦେଇଛି। ଘନ କୁହୁଡ଼ି କାରଣରୁ ଦୃଶ୍ୟମାନତା କମିଯାଇପାରେ, ଯାହା ଦୁର୍ଘଟଣାର ଆଶଙ୍କା ବଢ଼ାଇପାରେ। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ମଧ୍ୟ ରାଜ୍ୟର ବହୁ ସ୍ଥାନରେ ଘନ କୁହୁଡ଼ି ପଡ଼ିଥିଲା, ଯାହାର ପ୍ରଭାବରେ ଯାତାୟାତ ବ୍ୟବସ୍ଥା କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସଚେତନ ରହିଛି।