ଭୁବନେଶ୍ୱର: ବିଜେଡି ସୁପ୍ରିମୋଙ୍କ ନାଁ ସିଧାସଳଖ ନନେଇ ରାଜନୈତିକ ମହଳରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ଶ୍ରୀମୟୀ ମିଶ୍ର। ସୋସିଆଲ ମିଡିଆରେ ଇତିହାସର ମହାନ ଯୋଦ୍ଧା ଆଲେକ୍ସାଣ୍ଡାର ଦି ଗ୍ରେଟ୍ଙ୍କ ଉଦାହରଣ ଦେଇ ସେ ନେତୃତ୍ୱ, ତ୍ୟାଗ ଓ ମହାନତାକୁ ନେଇ ଗଭୀର ବାର୍ତ୍ତା ରଖିଛନ୍ତି। ଶ୍ରୀମୟୀ ମିଶ୍ର ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ଆଲେକ୍ସାଣ୍ଡାର ତାଙ୍କ ଜୀବନର ଶେଷ ସମୟରେ ନିଜ ସେନାପତିମାନଙ୍କୁ ୩ଟି ଶେଷ ଇଚ୍ଛା ପୂରଣ କରିବାକୁ ଆଦେଶ ଦେଇଥିଲେ। ପ୍ରଥମେ, ତାଙ୍କ କଫିନ୍ ଡାକ୍ତରମାନେ ବୋହିବେ, ଦ୍ୱିତୀୟତଃ କଫିନ୍ ଯାଉଥିବା ରାସ୍ତାରେ ସମସ୍ତ ସଂଚିତ ଧନସମ୍ପତ୍ତି ବିଛାଯିବ ଏବଂ ତୃତୀୟତଃ କଫିନ୍ ବାହାରେ ତାଙ୍କ ଦୁଇହାତ ଝୁଲି ରହିବ।

ଏହି ୩ଟି ଇଚ୍ଛା ମାଧ୍ୟମରେ ଆଲେକ୍ସାଣ୍ଡାର ଜଣାଇବାକୁ ଚାହିଁଥିଲେ ଯେ ମୃତ୍ୟୁ ସମ୍ମୁଖରେ ସର୍ବୋତ୍ତମ ଡାକ୍ତର ମଧ୍ୟ ଅସହାୟ, ମଣିଷ ଯେତେ ଧନ ସଂଚୟ କଲେ ବି ସେସବୁ ଏଇ ପୃଥିବୀରେ ହିଁ ରହିଯାଏ ଏବଂ ମଣିଷ ଖାଲି ହାତରେ ଏଇ ସଂସାରକୁ ଆସେ ଓ ଖାଲି ହାତରେ ହିଁ ଫେରିଯାଏ। ତାଙ୍କ ପୋଷ୍ଟରେ ଶ୍ରୀମୟୀ ମିଶ୍ର ଆହୁରି କହିଛନ୍ତି ଯେ, ଯେଉଁ ନେତାମାନେ ସମୟ ଥିବାବେଳେ ମୋହ ତ୍ୟାଗ କରି ପଦବୀ ଛାଡ଼ନ୍ତି, ସେମାନେ ହିଁ ଇତିହାସରେ ଅମର ହୋଇ ରହନ୍ତି। ପ୍ରକୃତ ମହାନତା କୌଣସି ପଦବୀକୁ ଅନ୍ତିମ ସମୟ ପର୍ଯ୍ୟନ୍ତ ଧରି ରଖିବାରେ ନୁହେଁ, ବରଂ ସମ୍ମାନ ସହ ତ୍ୟାଗ କରି ମାର୍ଗଦର୍ଶନ ଦେବାରେ ଥାଏ। ନାମ ଉଲ୍ଲେଖ ନକରାଯାଇଥିଲେ ମଧ୍ୟ, ଏହି ସୋସିଆଲ ମିଡିଆ ପୋଷ୍ଟକୁ ନେଇ ରାଜନୈତିକ ମହଳରେ ବିଭିନ୍ନ ଅର୍ଥ କାଢ଼ାଯାଉଛି ଏବଂ ଏହାକୁ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ସହ ଯୋଡ଼ି ଦେଖାଯାଉଛି।